ବାରିପଦାରେ ଜିଲ୍ଲା ସ୍ତରୀୟ ମେଗା ଆଇନ ସେବା ଶିବିର ଉଦଘାଟିତ
ବାରିପଦା : ସମୟ ରେ ଆଜି ସ୍ଥାନୀୟ ଶହୀଦ ସ୍ମୃତି ଭବନ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ମେଗା ଆଇନ ସେବା ଶିବିରକୁ ଜିଲ୍ଲା ଏବଂ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ପଟ୍ଟନାୟକଙ୍କ ଉପସ୍ଥିତି ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଫିତା କାଟି ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ଜିଲ୍ଲା ଦୌରା ଜଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ରୂପଭାନୁ ମିଶ୍ର, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମହାରଣା, ଜିଲ୍ଲା ଓକିଲ ସଙ୍ଘ ସଭାପତି ପ୍ରଦୀପ କୁମାର ରଥ ଏବଂ ସମ୍ପାଦକ ବିପ୍ଳବ ବାରିକ ପ୍ରମୁଖ ଯୋଗ ଦେଇ ଜନସାଧାରଣଙ୍କୁ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ମାଧ୍ୟ୍ୟମରେ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ଏବଂ ନ୍ୟାୟିକ ସେବା ସମ୍ଭନ୍ଧରେ ସବିଶେଷ ଆଲୋଚନା କରି ନିଜ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସେମାନେ ସଦା ସର୍ବଦା ସଚେତନ ହେବା ଉଚିତ ବୋଲି କହିଥିଲେ । ବର୍ତମାନ ଅନଲାଇନ ମାଧ୍ୟ୍ୟମରେ ସରକାରଙ୍କ ବିଭିନ୍ନ ସେବା ଉପଲବ୍ଧ ଏବଂ ଏପରିକି କିଛି ସେବା ହିତାଧିକାରୀଙ୍କୁ ଘର ଦ୍ୱାର ସମ୍ମୁଖରେ ସେବା ପ୍ରଦାନ ପାଇଁ ସରକାରଙ୍କ ତରଫରୁ ଉଦ୍ୟମ ଜାରି ରହିଛି ଏବଂ କୌଣସି କ୍ଷେତ୍ରରେ ନ୍ୟାୟିକ ସେବା ପାଇବାରେ ଅସୁବିଧାର ସମ୍ମୁଖୀନ ହେଲେ ସେମାନେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସହାୟତା ନେଇ ପାରିବେ ବୋଲି କହିଥିଲେ । ଆଜିର ଏହି ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସାଶକ୍ତିକରଣ, ମତ୍ସ୍ୟ, ସ୍ୱାସ୍ଥ୍ୟ, ଫୋରେଷ୍ଟ, ଶିକ୍ଷା, ଆଇଟିଡିଏ, ଜେଲ, ଉଦ୍ୟାନ, ଶ୍ରମ, ମିଶନଶକ୍ତି, କୃଷି ଇତ୍ୟାଦି ବିଭିନ୍ନ ବିଭାଗ ତରଫରୁ ୨୧ ଗୋଟି ଷ୍ଟଲ ଖୋଲାଯାଇ ବିଭିନ୍ନ ବିଭାଗର ହିତାଧିକାରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇଥିଲା । ଶେଷରେ ରେଜିଷ୍ଟ୍ରାର ଆଶିଷ କୁମାର ପରିଛା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦକ ଶ୍ରୀମତୀ ଶିବାନୀ ପରିଚାଳନା କରିବା ସହ ଉକ୍ତ କାର୍ଯ୍ୟାଳୟ ର କର୍ମକର୍ତା ମାନେ ପରିଚାଳନା ରେ ସହାୟତା କରିଥିଲେ । ଉକ୍ତ ଶିବିର ରେ ବିଭିନ୍ନ ବିଭାଗୀୟ ପଦାଧିକାରୀ, ସ୍ୱେଛାସେବୀ, ଆଇନଜୀବୀ ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ ।
