ଗୋଷ୍ଠୀ ସହାୟିକାମାନଙ୍କର ଜିଲ୍ଲାସ୍ତରୀୟ ବୈଠକ
ବାଲେଶ୍ୱର : ଗୋଷ୍ଠୀ ସହାୟିକା (ସି.ଆର.ପି.ସି.ଏମ୍) ଭାବେ କାର୍ଯ୍ୟ କରୁଥିବା ମହିଳାମାନଙ୍କର ପଢ଼ୁଆଁପଦାସ୍ଥିତ ଏଆଇଟିୟୁସି ସଭାଗୃହରେ ଭାରତୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସହାୟିକା ଭାବେ କାର୍ଯ୍ୟ କରୁଥିବା କର୍ମୀମାନଙ୍କୁ ମାସିକ ତିନିହଜାର ଟଙ୍କା ପ୍ରାପ୍ୟ ବୃଦ୍ଧି କରିବା, ଏହି ମାସିକ ବେତନକୁ ବ୍ୟାଙ୍କ ଜରିଆରେ ପ୍ରଦାନ କରିବା, ଗୋଷ୍ଠୀ ସହାୟିକାମାନେ ସରକାରୀ କାଗଜପତ୍ର ପ୍ରସ୍ତୁତି ପାଇଁ ଅଫିସ୍ଗୃହ ଯୋଗାଇଦେବା, ଉଚ୍ଚ ଅଧିକାରୀଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ଓ ସମାନ କାମକୁ ସମାନ ମଜୁରୀ ଦେବା ସହ ସାମାଜିକ ସୁରକ୍ଷା ପାଇଁ ଦାବିକରି ବୈଠକରେ ଯୋଗ ଦେଇଥିବା ବିଭିନ୍ନ ବ୍ଲକ୍ର ପ୍ରତିନିଧି ମତପ୍ରଦାନ କରିଥିଲେ । ଏଆଇଟିୟୁସି ନେତୃତ୍ୱରେ ରାଜ୍ୟସ୍ତରରେ ସଗଠନ ପ୍ରତିଷ୍ଠା ହୋଇଥିବାରୁ ବାଲେଶ୍ୱର ଜିଲ୍ଲାସ୍ତରରେ ଏକ ସଂଘ ଗଠନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରାଜ୍ୟସ୍ତରରେ ପ୍ରସ୍ତାବିତ ଆନ୍ଦୋଳନରେ ସମସ୍ତ ଗୋଷ୍ଠୀ ସହାୟକ ଯୋଗଦେବାକୁ ବୈଠକରେ ଆହ୍ୱାନ ଦିଆଯାଇଛି ।ଜିଲ୍ଲାସ୍ତରୀୟ ସଂଗଠନରେ ସଭାପତି ସବିତା ମହାନ୍ତି, ଉପସଭାପତି ପଦ୍ମଜା ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି ମନୋରମା ରାଉତ, ସାଧାରଣ ସଂପାଦିକା ବନ୍ଦନା ପାତ୍ର, ସହସଂପାଦକ ଅବନ୍ତୀ ପାତ୍ର ଓ କୋଷାଧ୍ୟକ୍ଷା ଭାବେ ଭାରତୀ ମହାନ୍ତିଙ୍କୁ ମନୋନୀତ କରାଯାଇଛି । ଏଆଇଟିୟୁସିର ରାଜ୍ୟ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ ଓ ସଂଗଠନର ରାଜ୍ୟ ସଭାପତି ସୁବାସ ମହାପାତ୍ର ଯୋଗଦେଇ ମହିଳାମାନେ ନିଜର ହକ୍ ଦାବିପାଇଁ ସଂଗଠିତ ହେବାକୁ ପରାମର୍ଶ ଦେଇଥିଲେ । ପଦ୍ମଜା ଆଚାର୍ଯ୍ୟ, ଅବନ୍ତୀ ପାତ୍ର, ବନ୍ଦନା ବିଶ୍ୱାସ, ମନୋରମା ରାଉତ, ମନସ୍ୱିନୀ ହୋତା, ସ୍ୱର୍ଣ୍ଣଲତା ନାୟକ ଓ ସବିତା ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସାବିତ୍ରୀ ଦଳାଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
