ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟି ବୈଠକ
ବାରିପଦା : ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଧେଶ ଅନୁସାରେ ୨୦୨୨-୨୩ ବର୍ଷ ପାଇଁ ମୟୁରଭଂଜ ଜିଲ୍ଲାର ଚାଷୀଙ୍କ ଠାରୁ ଖରିଫ ଧାନ କିଣାଯିବା ସକାଶେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ବାରିପଦା ପ୍ରୟାସ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜ଼ିଲ୍ଲାପରିଷଦ ସଭାପତି ଭାରତୀ ହାଁସଦା, ମୋରଡା ବିଧାୟକ ରାଜ କିଶୋର ଦାସ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷିକେଶ ଦ୍ୟାନଦେଓ ଖିଲାରୀ, କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ପ୍ରତିନିଧି, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ, ଡିଆରସିଏସ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମୁଖଙ୍କ ସମେତ ଜିଲ୍ଲାର ସମସ୍ତ ଅତିରିକ୍ତ ସହକାରୀ ଯୋଗାଣ ଅଧିକାରୀ ତଥା ଜିଲ୍ଲାର ମିଲରସ ଓ ଚାଷୀ ପ୍ରତିନିଧି ମାନେ ଅଂଶ ଗ୍ରହଣ କରି ସବିଶେଷ ଆଲୋଚନା କରିଥିଲେ । ସରକାରଙ୍କ ନିର୍ଦ୍ଦେଶ ମୁତାବକ ଚଳିତ ବର୍ଷ ଆଦ୍ୟାବଧି ୬୪,୩୨୬ ଜଣ ଚାଷୀ ପଂଜିକୃତ କରିଥିବା ବେଳେ, ଜିଲ୍ଲାରେ ଖରିଫ ଧାନ ସଂଗ୍ରହ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ ପାଇଁ ଜିଲ୍ଲା ଯୋଗାଣ ବିଭାଗ, ଆରଏମସି ଏବଂ ଡିଆରସିଏସ ବିଭାଗ ତତ୍ୱାବଧାନରେ ଜିଲ୍ଲା ର ୫୨ ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ ), ଲ୍ୟାମ୍ପ ଜରିଆରେ ଚାଷୀ ମାନଙ୍କ ସୁବିଧା ପାଇଁ ଜିଲ୍ଲାର ସମସ୍ତ ବ୍ଲକ ଅଂଚଳରେ ଖୋଲା ଯାଇଥିବା ସମସ୍ତ ମଣ୍ଡିରେ ଆସନ୍ତା ଡିସେମ୍ବର ୨୦ ତାରିଖ ଠାରୁ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯିବ ଏବଂ ଚଳିତ ବର୍ଷ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଧାନର ସହାୟକ ମୂଲ୍ୟ ଯଥା କ୍ରମେ ଏଫଏକ୍ୟୁ ଗ୍ରେଡ଼ ସାଧାରଣ ମାନ ଧାନର ମୂଲ୍ୟ କୁଇଂଟାଲ ପ୍ରତି ୨୦୪୦ ଟଙ୍କା ଏବଂ ଗ୍ରେଡ଼ ଏ ମାନ ଧାନର ମୂଲ୍ୟ କ୍ୟୁଣ୍ଟାଲ ପ୍ରତି ୨୦୬୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଧାନ ବିକ୍ରୟ ନିମନ୍ତେ ଚାଷୀ ମାନେ ପଂଜିକୃତ କରିଥିବା ନିଜର ପରିଚୟ ପତ୍ର ଆଣିବା ସହ ଯେଉଁ ଦିନ ପାଇଁ ଟୋକେନ ମେସେଜ ଯାଇଥିବ କେବଳ ସେହି ଦିନ ସେହି ଚାଷୀ ମାନେ ବିକ୍ରୟ କରି ପାରିବେ ବୋଲି ଜଣାଯାଇଛି । ବିକ୍ରୟ ଧାନର ସାହାୟକ ମୂଲ୍ୟ ଚାଷୀଙ୍କ ପଂଜିକୃତ ବ୍ୟାଙ୍କ ପାସ ବହିରେ ୨୪ରୁ ୪୮ ଘଂଟା ମଧ୍ୟରେ ମାଧ୍ୟମରେ ପ୍ରଦାନ କରାଯିବା ସହ ଚାଷୀଙ୍କ ଆପତି ଅଭିଯୋଗ ଉପରେ ତ୍ୱରିତ ସମାଧାନ କରିବାକୁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ସେହିପରି ସମସ୍ତ ମଣ୍ଡିର ସୁପରିଚାଳନା ପାଇଁ ଜିଲ୍ଲା ଏବଂ ଉପଖଣ୍ଡ ସ୍ତରୀୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଙ୍କ ତତ୍ୱାବଧାନରେ ଜିଲ୍ଲା ଯୋଗାଣ ବିଭାଗ, ଡି.ଆର.ସି.ଏସ., ଆରଏମସି, ଲ୍ୟାମ୍ପ ବିଭାଗୀୟ କ୍ଷେତ୍ର ଅଧିକାରୀ ମାନଙ୍କ ସମନ୍ନୟ ରକ୍ଷା କରି କାର୍ଯ୍ୟ ତରାନ୍ୱିତ କରା ଯିବାକୁ ପରାମର୍ଶ ଦିଆଯାଇଛି । ମିଲର ମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ବ୍ୟାଙ୍କ ଗେରେଂଟି ପ୍ରଦାନ ପାଇଁ ପରାମର୍ଶ ଦିଆଯିବା ସହ ମଣ୍ଡିରେ କିଣା ଯାଇଥିବା ଧାନ ବସ୍ତା ୨୪ ଘଣ୍ଟା ମଧ୍ୟରେ ମଣ୍ଡିରୁ ଉଠାଇ ନେବାକୁ ସମସ୍ତ ମିଲର ମାନଙ୍କୁ ନିର୍ଦେଶ ଦିଆଯାଇଛି । ଚାଷୀ ମାନଙ୍କ ସୁବିଧା ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥଳ, ଶୌଚାଳୟ ଆଦି ସମସ୍ତ ପ୍ରକାର ଅନୁସଙ୍ଗିକ ବ୍ୟବସ୍ଥା ପାଇଁ ଆରଏମସି ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି ।
