ବାରିପଦା ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ( 11 ରୁ 17 ଅକ୍ଟୋବର )
ମୟୁରଭଞ୍ଜ : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ତଥା ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସହଯୋଗୀତାରେ 17 ବର୍ଷରୁ କମ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଉଭୟ ବାଳକ ଓ ବାଳିକା ବିଭାଗରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚଳିତ ମାସ 11ରୁ 17 ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଟୁର୍ଣ୍ଣାମେଣ୍ଟରେ ବାଳକ ବିଭାଗରେ 26 ଟି ଦଳ ଓ ବାଳିକା ବିଭାଗରେ 21 ଟି ଦଳ ଅଂଶ ଗ୍ରହଣ କରୁଛନ୍ତି I ପ୍ରତ୍ୟେକ ଦିନ ପୂର୍ବାହ୍ନରେ ବାଳକ ବିଭାଗର 4 ଟି ମ୍ୟାଚ ଓ ଅପରାହ୍ନରେ ବାଳିକା ବିଭାଗର 3 ଟି ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ଜଣାଇଛନ୍ତି I ପ୍ରକାଶ ଥାଉକି କଳିଙ୍ଗ ଷ୍ଟାଡିୟମଠାରେ ଫିଫା ଆନୁକୂଲ୍ୟରେ 17 ବର୍ଷରୁ କମ ଅନ୍ତର୍ଜାତୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ମଧ୍ୟ ଏହି 11ରୁ 17 ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସାରା ଓଡିଶାରେ ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ଟୁର୍ଣ୍ଣାମେଣ୍ଟ ହେଉଥିବା ବେଳେ ଆମ ଜିଲାରେ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ନବ କିଶୋର ଗିରିଙ୍କ ସୂତ୍ରରୁ ପ୍ରକାଶ I ଆସନ୍ତା କାଲି ଅପରାହ୍ନ 3 ଟା 30 ମିନିଟରେ ଅନୁଷ୍ଠାନିକ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହେବ I ବାରିପଦା ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଜିଲ୍ଲାର ପ୍ରତିଭାବାନ ଯୁବ ଫୁଟବଲ ଖେଳାଳି ମାନଙ୍କୁ ଚିହ୍ନଟ କରାଯାଇପାରିବ ବୋଲି ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଏବଂ ଫୁଟବଲ ସହ ସମ୍ପାଦକ ଅମର କୁମାର ସେଠି ଆଶା ପୋଷଣ କରିଛନ୍ତି I
