ଜିଲ୍ଲା ପରିଷଦ ଅଧିବେଶନ ଅନୁଷ୍ଠିତ
କେନ୍ଦୁଝର : ଷଷ୍ଠ ଜିଲ୍ଲା ପରିଷଦର ଚତୁର୍ଥ ଅଧିବେଶନ ତା ୦୯.୦୩.୨୦୨୩ରିଖ ଗୁରୁବାର ଦିନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାଗରିକା ସାହୁଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଧିବେଶନରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ, ସାଂସଦ (ଲୋକସଭା) ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲାପାଳ ଆଶିଷ ଠାକରେ, ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ସୋମନାଥ ଦାସ, ଡି.ଏଫ୍.ଓ. ଧନରାଜ ଏଚ୍.ଡି., ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ପରିଷଦର ସଦସ୍ୟ / ସଦସ୍ୟା, ପଂଚାୟତ ସମିତି ଅଧ୍ୟକ୍ଷ / ଅଧ୍ୟକ୍ଷା, ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାପାଳ ଆଶିଷ ଠାକରେ ସମସ୍ତଙ୍କୁ ସ୍ୱାଗତ ସମ୍ଭାଷଣ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାହୁ ଉଦ୍ବୋଧନ ଦେଇ କହିଥିଲେ ଯେ ଜିଲ୍ଲାର ସାମଗ୍ରିକ ବିକାଶ ସଂପର୍କରେ ଆଲୋଚନା ପାଇଁ ଜିଲ୍ଲା ପରିଷଦ ଅଧିବେଶନ ସୁଯୋଗ ଆଣିଛି । ସରକାର ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି । ଏସବୁର ସଠିକ୍ ରୂପାୟନ ହେଲେ ଜନସାଧାରଣଙ୍କର ମୁହଁରେ ହସ ଫୁଟିବ ଜିଲ୍ଲାର ପ୍ରଭୂତ ଉନ୍ନତି ହୋଇପାରିବ । ଏ ଦିଗରେ ଲୋକ ପ୍ରତିନିଧି ଓ ସରକାରୀ ଅଧିକାରୀ / କର୍ମଚାରୀଙ୍କ ମଧ୍ୟରେ ଉତମ ସମନ୍ୱୟ ଅତୀବ ଗୁରୁତ୍ୱପୂର୍ଣ୍ଣ । ଏଣୁ ଜିଲ୍ଲା ଓ ଜିଲ୍ଲାବାସୀଙ୍କର ହିତ ପାଇଁ ସମସ୍ତେ ଆନ୍ତରିକତା ଓ ନିଷ୍ଠାର ସହ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ । ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଏବଂ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଉଦ୍ବୋଧନ ଦେଇ ଜିଲ୍ଲା ପରିଷଦ ଅଧିବେଶନରେ ହେଉଥିବା ଆଲୋଚନା, ନିଆଯାଇଥିବା ନିଷ୍ପତି ଉପରେ ଗୁରୁତ୍ୱାରୋପ କରି ତା’ର ସଠିକ୍ ଅନୁପାଳନ ହେବା ଆବଶ୍ୟକ ବୋଲି କହିଥିଲେ । କେନ୍ଦୁଝର ଜିଲ୍ଲାର ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ଓ ପ୍ରଶାସନ ଆନୁକୂଲ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାଗୁଡିକର ସଠିକ୍ କାର୍ଯ୍ୟକାରିତା ପାଇଁ ସମସ୍ତଙ୍କର ସାମୁହିକ ଉଦ୍ୟମ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଏହି ଅଧିବେଶନରେ ତା ୦୧.୦୬.୨୦୨୨ରିଖରେ ଅନୁଷ୍ଠିତ ବୈଠକ ବିବରଣୀର ଦୃଢୀକରଣ କରାଯାଇଥିଲା ଏବଂ ପୂର୍ବ ବୈଠକର ବିବରଣୀର ଅନୁପାଳନ ଉପରେ ଆଲୋଚନା କରାଯାଇଥିଲା । ଏହାପରେ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା ହୋଇଥିଲା । କୃଷି ବିଭାଗର କାର୍ଯ୍ୟାବଳୀ, ଖରିଫ ଋତୁରେ ଧାନ ଚାଷ, ଅଣଧାନ ଚାଷ, ଧାନ ବିହନ ବିକ୍ରୟ, ଅଣଧାନ ବିହନ ବିକ୍ରୟ, ରାସାୟନିକ ସାର ବିକ୍ରୟ, ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜନ, ସରକାରୀ ରିହାତି ମୂଲ୍ୟରେ ଚାଷୀମାନଙ୍କୁ କୃଷି ଯନ୍ତ୍ରପାତି ଯୋଗାଣ / କୃଷକ ଓଡିଶା ପୋର୍ଟାଲ୍ରେ ପଞ୍ଜିକରଣ କାର୍ଯ୍ୟକ୍ରମ ଇତ୍ୟାଦି ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥିବା ବିହନ ବ୍ୟବହାର କରି ଏହାଦ୍ୱାରା କିପରି ଫସଲ ଉତ୍ପାଦନ ହେଉଛି ଏବଂ ବିହନ ଦ୍ୱାରା ଅଧିକ ଅମଳ ହେଉଛି କି ନାହିଁ ଏ ସଂପର୍କରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଯତ୍ନବାନ ହୋଇ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କେନ୍ଦୁଝରର ପ୍ରସିଦ୍ଧ ‘ବଡି’ର ଚାହିଦା ଥିବାରୁ ଏଥି ନିମନ୍ତେ ଜିଲ୍ଲାରେ ବିରି, ଖସା ଚାଷକୁ ଅଧିକ ପ୍ରୋତ୍ସାହନ ଯୋଗାଇଇବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । କେନ୍ଦୁଝର ବଡିକୁ ଜି.ଆଇ. ଟାଗିଙ୍ଗ୍ ପାଇଁ ପ୍ରକ୍ରିୟା ଜାରି ରହିଥିବା ପରିପ୍ରେକ୍ଷୀରେ “ବଡି ମିଶନ” ପ୍ରତିଷ୍ଠା କରିବା ପ୍ରସ୍ତାବ ବୈଠକରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଏତଦ୍ବ୍ୟତୀତ ବଡି ତିଆରି ସହିତ ସଂପୃକ୍ତ ଏସ୍.ଏଚ୍.ଜି., ପ୍ରତ୍ୟୁସର ଗ୍ରୁପ ଏବଂ କମ୍ପାନୀ ଜରିଆରେ ବଡି ପ୍ରସ୍ତୁତି, ପ୍ୟାକେଜିଂ, ବିପଣନକୁ ବ୍ୟାପକ କରାଯିବାକୁ ନିଷ୍ପତି ନିଆଯାଇଥିଲା । ପଣସ ମଞ୍ଜିକୁ ପ୍ରକ୍ରିୟାକରଣ କରି ଅଟା ପ୍ରସ୍ତୁତ ନିମନ୍ତେ ୟୁନିଟ୍ / କାରଖାନା ସ୍ଥାପନ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା ଏବଂ ଏହାକୁ କୃଷି ଉତ୍ପାଦନ କ୍ଲଷ୍ଟର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । କେନ୍ଦୁଝର ଜିଲ୍ଲାରେ ସାର ର୍ୟାକ୍ ପଏଂଟ୍ ପ୍ରତିଷ୍ଠାରେ ଥିବା ପ୍ରତିବନ୍ଧକ ସଂପର୍କରେ ଆଲୋଚନା କରାଯାଇଥିଲା । ଏ ସଂପର୍କରେ ଥିବା ସମସ୍ୟା ଦୂର ହୋଇଛି ଏବଂ ଚଳିତ ବର୍ଷ ମଧ୍ୟରେ ଏହାର ନିର୍ମାଣ ଶେଷ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏତଦ୍ବ୍ୟତୀତ କୃଷି ଓ କୃଷକ କଲ୍ୟାଣ ସଂପର୍କିତ ବିଭିନ୍ନ ଯୋଜନା ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜଳବିଭାଜିକା କାର୍ଯ୍ୟକ୍ରମ ଅନ୍ତର୍ଗତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଗତି ବିବରଣୀ, ଓମ୍ବାଡିସି ଅନୁଦାନରେ ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ ଜଳବିଭାଗିକା ଉନ୍ନୟନ କାର୍ଯ୍ୟକ୍ରମ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ଏବଂ ଏହାର ସଠିକ୍ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପକ କରାଯାଇଥିଲା । ମତ୍ସ୍ୟ ଚାଷ ବିଭାଗର କାର୍ଯ୍ୟକ୍ରମ ଯଥା – ଯାଆଁଳ ଉତ୍ପାଦନ ଓ ଯୋଗାଣ, ନୂତନ ପୋଖରୀ ଖନନ, ଯାଆଁଳ ଚାଷ, ଏସ୍.ଏଚ୍.ଜି. ଦ୍ୱାରା ଗ୍ରାମ ପୋଖରୀରେ ମାଛଚାଷ ଓ ସେମାନଙ୍କ ପାଇଁ ଆବର୍ତନ ପାଣ୍ଠି ଇତ୍ୟାଦି କାର୍ଯ୍ୟକ୍ରମ, ଉଦ୍ୟାନ ବିଭାଗର କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରକାର ଫଳଚାଷ, ଛତୁଚାଷ, ପାଳୁଅ ଚାଷ, ଜିଆ ଖତ, ଉଦ୍ୟାନ କୃଷି ଯନ୍ତ୍ରୀକରଣ, ପ୍ରକ୍ରିୟାକରଣ ୟୁନିଟ୍, ଚାଷୀମାନଙ୍କୁ ତାଲିମ୍ ଓ କ୍ଷେତ୍ର ପରିଦର୍ଶନ ସୁବିଧା ଇତ୍ୟାଦି କାର୍ଯ୍ୟକ୍ରମ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବେସାମରିକ ଯୋଗାଣ ବିଭାଗର କାର୍ଯ୍ୟକ୍ରମ ଯଥା ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ, ପି.ଏଚ୍.ଏଚ୍. ହିତାଧିକାରୀ, ଏଏୱାଇ ହିତାଧିକାରୀ, ଏନ୍.ଏଫ୍.ଏସ୍.ଏ ଯୋଜନାର ହିତାଧିକାରୀ, ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକାରିତା, ଧାନକିଣା ପ୍ରକ୍ରିୟା ସଂର୍ପକରେ ବୈଠକରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ଜଳ ସଂପଦ ବିଭାଗର ବୈତରଣୀ ଜଳସେଚନ ବିଭାଗ ଶାଳପଡା କାର୍ଯ୍ୟାଳୟ ଅଧିନରେ ହାତକୁ ନିଆଯାଇଥିବା ବନ୍ୟା ପୁନରୁଦ୍ଧାର କାର୍ଯ୍ୟ, ବନ୍ୟା ନିୟନ୍ତ୍ରଣ କାର୍ଯ୍ୟ, ନଦୀ ବନ୍ଧ କାର୍ଯ୍ୟ, ରାସ୍ତା ଓ ସେତୁ କାର୍ଯ୍ୟ, କେନାଲ୍ କାର୍ଯ୍ୟ, ବୈତରଣୀ କୂଳରେ ଥିବା ଗ୍ରାମଗୁଡିକୁ ବନ୍ୟା ଦାଉରୁ ରକ୍ଷା ପାଇଁ ସୁରକ୍ଷା ବନ୍ଧ / ପ୍ୟାଚିଂ କାର୍ଯ୍ୟକ୍ରମ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା ଏବଂ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସଂପୃକ୍ତ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏତଦ୍ବ୍ୟତୀତ ଜଳସେଚନ, କାନପୁର ଜଳ ସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ବିଭାଜନମାନଙ୍କର କାର୍ଯ୍ୟକ୍ରମ, ଉଠାଜଳସେଚନ, ପୂର୍ତ (ରାସ୍ତା ଓ ଗୃହ ନିର୍ମାଣ) ଓ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟକ୍ରମ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ବିଦ୍ୟୁତକରଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଡି.ଏମ୍.ଏଫ୍. ଓ ଓମ୍ବାଡିସି ଅନୁଦାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏତଦ୍ବ୍ୟତୀତ ଚଳିତ ବର୍ଷ ଫେବୃଆରୀ ମାସରୁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବା ଦୃଷ୍ଟିରୁ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଚଳିତ ମାର୍ଚ୍ଚ ୬ ତାରିଖ ଦିନ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକର ନିଷ୍ପତି ସଂପର୍କରେ ଗୃହରେ ଅବଗତ କରାଯାଇଥିଲା । ଅଚଳ ନଳକୂପ ଓ ବୋରୱେଲ ଗୁଡିକର ତୁରନ୍ତ ମରାମତି, ଅନ୍ୟ ପାନୀୟ ଜଳ ଉତ୍ସଗୁଡିକୁ କାର୍ଯ୍ୟକ୍ଷମ କରିବା, ଜଳକ୍ଲିଷ୍ଟ ଅଂଚଳରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ବ୍ୟବସ୍ଥା କରିବା, ବିଦ୍ୟୁତ୍ କାଟ ନକରିବା, ଶିକ୍ଷାନୁଷ୍ଠାନଗୁଡିକରେ ସମୟ ସାରଣୀ ପରିବର୍ତନ, ଖରା ସମୟରେ ଶ୍ରମିକମାନଙ୍କୁ କାମରେ ନିୟୋଜିତ ନ କରିବା, ବସ ଚଳାଚଳ ନିୟନ୍ତ୍ରଣ, ସବୁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ଓ.ଆର୍.ଏସ୍., ଔଷଧ ମହଜୁଦ ରଖିବା, ଅଂଶୁଘାତ ପୀଡିତଙ୍କ ପାଇଁ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା, କଂଟ୍ରୋଲ୍ ରୁମ୍ ଖୋଲିବା ଇତ୍ୟାଦି ପ୍ରସଙ୍ଗରେ ବୈଠକରେ ଅବଗତ କରାଯାଇଥିଲା । ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲାପାଳ ଲୋକ ପ୍ରତିନିଧି, ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ । ରିପୋର୍ଟ ପ୍ରସ୍ତୁତ ବେଳକୁ ଜିଲ୍ଲା ପରିଷଦ ଅଧିବେଶନ ଜାରି ରହିଥିଲା ।
