ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ପାଇଁ ଜିଲା କମିଟି ବୈଠକ
ବାଲେଶ୍ୱର : ବାଲେଶ୍ୱର କଲେକ୍ଟରିଏଟ୍ ପରିସରରେ ଥିବା ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ବୈଦ୍ୟନାଥ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା ବରିଷ୍ଠ ନାଗରିକ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ଜିଲାରେ ଥିବା ଆଞ୍ଚଳିକସ୍ତରରେ ବରିଷ୍ଠ ନାଗରିକମାନଙ୍କର ସଂଗଠନମାନେ ନିଜସ୍ୱ କାର୍ଯ୍ୟକ୍ରମ ସ୍ଥିର କରିଥିବାର ଜଣାଇଥିଲେ ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ବହୁ ଯୋଜନା ଘୋଷଣା ହେଉଥିଲେ ମଧ୍ୟ ତାହା ସଠିକ୍ କାର୍ଯ୍ୟକାରୀ ହେଉନଥିବାରୁ କେତେକ ସଦସ୍ୟ ବୈଠକରେ ଉଦ୍ବେଗ ପ୍ରକାଶ କରିଥିଲେ । ଆସନ୍ତା ଅକ୍ଟୋବର ୧ ତାରିଖ ପୂର୍ବାହ୍ନ ୧୦ଟାରେ ସ୍ଥାନୀୟ ନୃତ୍ୟ ସଂଗୀତ କଳା ମନ୍ଦିରରେ ଜିଲାସ୍ତରୀୟ ଉତ୍ସବ ପାଳନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସଭାକାର୍ଯ୍ୟ ଆରମ୍ଭରେ ପୂର୍ବତନ ବିଧାୟକ ୰ ଗୋପନାରାୟଣ ଦାସଙ୍କ ବିୟୋଗରେ ତାଙ୍କ ଆତ୍ମାର ସଦ୍ଗତି ପାଇଁ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସେହିପରି ମଞ୍ଚର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରାଙ୍କ ୭୭ତମ ଜନ୍ମଦିନ ଅବସରରେ ଉପସ୍ଥିତମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବୈଠକରେ ଦାମୋଦର ନାୟକ, କମଳାକାନ୍ତ ବେହେରା, ଗୋପୀନାଥ ଦାସ, ଗୌରାଙ୍ଗ ପାଣିଗ୍ରାହୀ, ବାସନ୍ତୀ କର, ସୀତାରାମ ପ୍ରଧାନ, ବିଷ୍ଣୁ ମହାନ୍ତି, ପ୍ରସନ୍ନ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ପାତ୍ର, ଯଶୋଦାନନ୍ଦନ ଆଶ୍, ଡ. ପଦ୍ମଲୋଚନ ପାତ୍ର, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଓ ବେଣୁଧର ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ଧନ୍ୟବାଦ ଦେଇଥିଲେ ।
