ବୌଦ୍ଧିକ ଅନଗ୍ରସର ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷଣ ସାମଗ୍ରୀ ଉପକରଣ ବଣ୍ଟନ
ବାରିପଦା : ସମଗ୍ର ଶିକ୍ଷା ମୟୁରଭଂଜ ଓ ରାଷ୍ଟ୍ରିୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ସଂସ୍ଥାନ, ସାମାଜିକ ନ୍ୟାୟ ଏବଂ ଅଧିକାର ମନ୍ତ୍ରଣାଲୟ ଭାରତ ସରକାରଙ୍କ ମିଳିତ ସହଯୋଗରେ ସ୍ଥାନୀୟ ପ୍ରୟାସ ସମିଳନୀ କକ୍ଷଠାରେ ୧୨ଗୋଟି ବ୍ଲକରୁ ୧୧୪ ଜଣ ବୌଦ୍ଧିକ ଅନଗ୍ରସର ଛାତ୍ର ଛାତ୍ରୀଙ୍କୁ ଶିକ୍ଷଣ ସାମଗ୍ରୀ ଉପକରଣ ବଣ୍ଟନ କରାଯାଇଅଛି । ଏହି ଅବସର ରେ ଜିଲ୍ଲା ଶିକ୍ଷାଧିକାରୀ ନବକିଶୋର ଗିରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲପାଳ ବିନୀତ ଭରଦ୍ୱାଜ, ସନମାନିତ ଅତିଥି ଭାବରେ ଆଞ୍ଚଳିକ କମ୍ପୋଜାଇଟି କେନ୍ଦ୍ରର ଅଧିକାରୀ ଗଜେନ୍ଦ୍ର କୁମାର ସାହୁ ଓ ଅଶ୍ୱିନ ନଟିଆଲା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଏହି ଶିକ୍ଷା ଉପକରଣର ପ୍ରକୃତ ବ୍ୟବହାର କଲେ ବୌଦ୍ଧିକ ଅନଗ୍ରସର ପିଲାମାନଙ୍କର ଶିକ୍ଷ୍ୟାର ଉନ୍ନତି ହେବ ବୋଲି କହିଥିଲେ । ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ନିରଂଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଏହି ଶିବିରରେ ପୂର୍ବରୁ ଚୟନ କରା ଯାଇଥିବା ୧୨ ଟି ବ୍ଲକରୁ ମୋଟ ୧୧୪ ଜଣ ଛାତ୍ର ଛାତ୍ରୀଙ୍କୁ ଶିକ୍ଷଣ ସାମଗ୍ରୀ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାରିପଦା ସ୍ଥିତ ଶ୍ରବଣ ବାଧିତ ବିଦ୍ୟାଳୟ ମନୋବିକାଶ ର ଛାତ୍ରୀ ଓ ପୂର୍ଣ୍ଣଚନ୍ଦ୍ରପୁର ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ କରଯାଇଥିଲା । ଶିକ୍ଷକ ହରେନ୍ଦ୍ର ମହାନ୍ତ ମଂଚ ପରିଚାଳନା କରିଥିବା ବେଳେ ସାଧନାର ନିର୍ଦେଶକ ରଂଜିତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶିବିର ରେ ବାରିପଦା ବ୍ଲକରୁ ୨୪ ଜଣ, ଶୂଳିଆପଦାରୁ ୮ ଜଣ, ରସଗୋବିନ୍ଦପୁରରୁ ୧୬ ଜଣ, କରଂଜିଆରୁ ୫ ଜଣ, ଶମାଖୁଂଟାରୁ ୧୨ ଜଣ, ରରୁଆଁରୁ ୬ ଜଣ, ବଡସାହିରୁ ୭ ଜଣ , କୁଳିଅଣାରୁ ୧୨ ଜଣ, ରାଇରଙ୍ଗପୁରରୁ ୧୨ ଜଣ, ଉଦଳାରୁ ୬ ଜଣ, ଖୁଂଟାରୁ ୪ ଜଣ ଓ ବିଶୋଇରୁ ୨ ଜଣ ଉପକରଣ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ସମ୍ବଳ ଶିକ୍ଷକ, ସାଧନାର କର୍ମଚାରୀ ଓ ବାରିପଦା ବ୍ଲକର ସମସ୍ତ ଆଞ୍ଚଳିକ ସାଧନ କର୍ମୀ ମାନେ ସହଯୋଗ କରିଥିଲେ ।
