ମହିଳାଙ୍କ ବାସଗୃହ ସମ୍ମୁଖରୁ ନାଳ ଖୋଳିବା ନେଇ ଅସନ୍ତୋଷ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧୀନ ଦେଉଳା ଗ୍ରାମର ବିଜୟଲକ୍ଷ୍ମୀ ସାହୁ, ଭଗବତୀ ସାହୁ, ସୁକୁମାରୀ ସାହୁ ନାମ୍ନୀ ମହିଳାଙ୍କ ବାସଗୃହ ସମ୍ମୁଖରେ ଥବବା ସରକାରୀ ଗୋଚର ଜମିରୁ ଜୋର ଜବରଦସ୍ତ ମାଟି ଉଠାଇ ନାଳ ଖୋଳିବା ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ସେମାନେ ଜିଲାପାଳ, ବିଡିଓ, ତିହିଡ଼ି ଥାନା ଅଧିକାରୀ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, କିଛିଦିନ ତଳେ ଦେଉଳା ଗ୍ରାମରେ ଦୀର୍ଘଦିନ ହେବ ବସବାସ କରି ରହିଆସୁଥିବା ଉପରୋକ୍ତ ମହିଳାଙ୍କ ଘର ସମ୍ମୁଖରେ ଥିବା ସରକାରୀ ଗୋଚର ଜମିରୁ ମାଟି ଉଠାଇ ସରପଞ୍ଚ ଜୋର ଜବରଦସ୍ତ ମାଟି ଉଠାଇ ନାଳ ଖୋଳିଛନ୍ତି । ଏହି ନାଳ ଖନନ ପାଇଁ ଏକ୍ସନ ପ୍ଲାନରେ କୌଣସି ପ୍ରକଳ୍ପ ସରକାରୀ ଭାବେ ମଂଜୁର ହୋଇନଥିବା ବେଳେ ରାତିଅଧିଆ ସରପଞ୍ଚ ତାଙ୍କ ସହଯୋଗୀଙ୍କ ସହିତ ଜେସିବିରେ ନାଳ ଖୋଳିଛନ୍ତି । ଯାହାଫଳରେ ମହିଳାମାନଙ୍କର ଅପୂରଣୀୟ କ୍ଷତି ହେବା ସହିତ ବାସଗୃହକୁ ଯାତାୟତ କରିବା ପାଇଁ ମଧ୍ୟ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏପରିକି ବାସଗୃହ ନିକଟରେ ନାଳ ଖୋଳାଗଲେ ଧନଜୀବନ ହାନି ହେବାର ଆଶଙ୍କା ରହିଛି । ନାଳ ଖନନ ପରେ ବାସଗୃହକୁ ଏକ ବାଉଶ ଚାରା ପୋଲରେ ମହିଳାମାନଙ୍କ ପରିବାର ବିପଦଶଙ୍କୁଳ ଭାବରେ ଯାତାୟତ କରୁଛନ୍ତି । ରାତିଅଧିଆ ନାଳ ଖନନ ସମୟରେ ମହିଳାମାନଙ୍କର ବହୁ ମୂଲ୍ୟବାନ ଗଛ ମଧ୍ୟ ନଷ୍ଟ ହୋଇଛି । ସେମାନେ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯିବା ସହିତ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ତେବେ ତୁରନ୍ତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଅଭିଯୋଗକାରିଣୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ସରପଞ୍ଚ କୀର୍ତ୍ତି ଚନ୍ଦ୍ର ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଗ୍ରାମବାସୀମାନେ ସେମାନଙ୍କ ଚାଷ ଜମିକୁ ପାଣି ନେବା ପାଇଁ ନାଳ ଖନନ କରିଛନ୍ତି । ନାଳ ଖନନ ସମୟରେ ସେ ଉପସ୍ଥିତ ନଥିଲେ ବୋଲି ପ୍ରକାଶ କରିଛନ୍ତି ।
