ଧୋନି ଧୋନିରେ କମ୍ପିଲା ୱାଙ୍ଖଡେ, ୩ ବର୍ଷ ପରେ ଆଇପିଏଲରେ ମାରିଲେ ଅର୍ଦ୍ଧଶତକ
ମୁମ୍ବାଇ : ଆଇପିଏଲର ୨୦୨୨ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଓ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ଆୟୋଜିତ ହୋଇଥିବା ବେଳେ ଏଥିରେ ବିଜୟରୁ ଅଭିଯାନ ଆରମ୍ଭ କରିଛି କେକେଆର । ମୁମ୍ବାଇର ୱାଙ୍ଖଡେରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଧୋନିଙ୍କ ପାଇଁ ଷ୍ଟାଡିୟମ କମ୍ପି ଥିବାର ଦେଖିବାକୁ ମିଳିଥିଲା । ଯୁବ ଖେଳାଳିମାନେ ଯେଉଁଠି ଫେଲ ମାରିଲେ ସେଠି ଧୋନି ନିଜର ଅସଲ ଜଲୱା ଦେଖାଇଛନ୍ତି । ଧୋନି ଏବେ ସିଏସକେର ଅଧିନାୟକ ନାହାନ୍ତି ସତ, ହେଲେ ତାଙ୍କ ପାଇଁ ଆଜି ବି ଫ୍ୟାନମାନେ ପାଗଳ।
ଧୋନି ଷ୍ଟାଡିୟମକୁ ଓହ୍ଲାଇବା ମାତ୍ରେ ‘ଧୋନି ଧୋନି’ ନାରାରେ ପୂରା ଷ୍ଟାଡିୟମ କମ୍ପି ଉଠିଛି। କରୋନା ଯୋଗୁ ମାତ୍ର ୨୫% ଦର୍ଶକଙ୍କୁ ଆଇପିଏଲ ଦେଖିବାକୁ ସୁଯୋଗ ମିଳିଛି। ତଥାପି ସମସ୍ତେ ଏକା ସ୍ୱରରେ କିମ୍ବଦନ୍ତୀ କ୍ରିକେଟରଙ୍କ ପାଇଁ ଚିୟର କରିଛନ୍ତି। ମାହି ମଧ୍ୟ କାହାକୁ ନିରାଶ କରି ନାହାନ୍ତି। ସେ କୋଲକାତା ବିପକ୍ଷ ମ୍ୟାଚ୍ରେ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳି ଚେନ୍ନାଇକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି।
ICYMI: A massive roar and a warm reception by the Wankhede crowd for the legendary @msdhoni ? ? ?#TATAIPL | #CSKvKKR pic.twitter.com/6ZecoUHgbU
— IndianPremierLeague (@IPL) March 26, 2022
ଧୋନି ଅଧିନାୟକ ଛାଡ଼ି ଦେଇଥିବାରୁ ଆଜି ଚେନ୍ନାଇ ରବୀନ୍ଦ୍ର ଜାଡେଜାଙ୍କ ନେତୃତ୍ୱରେ ମ୍ୟାଚ୍ ଖେଳିବାକୁ ମୈଦାନକୁ ଓହ୍ଲାଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଚେନ୍ନାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏକଦା ଦଳ ୬୧ ରନ୍ରେ ୫ ୱିକେଟ ସଙ୍କଟରେ ପଡ଼ିଥିଲା। ୫ମ ବ୍ୟାଟସମ୍ୟାନ ଭାବେ ଶିବମ ଦୁବେ(୩) ଆଉଟ ହେବା ପରେ ମାହି ପଡ଼ିଆରେ ପ୍ରବେଶ କରିଥିଲେ। ଏହି ସମୟରେ ଗ୍ୟାଲେରୀରେ ଥିବା ଦର୍ଶକମାନେ ନିଜ ଆସନରେ ଛିଡ଼ା ହୋଇ ଧୋନି ଧୋନି ନାରା ଦେଇଥିଲେ। ବେଶ କିଛି ସେକେଣ୍ଡ ପାଇଁ ପୂରା ଷ୍ଟାଡିୟମ ଧୋନିଙ୍କ ପାଇଁ କମ୍ପି ଉଠିଥିଲା। ଧୋନି ଆରମ୍ଭରୁ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। ତେବେ ଶେଷ ଭାଗରେ ବଡ଼ବଡ଼ ଶଟ ଖେଳି ମାତ୍ର ୩୮ ବଲରେ ଆଇପିଏଲରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଇନିଂସରେ ସେ ୭ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ୩ ବର୍ଷ ପରେ ଆଇପିଏଲରେ ମାହିଙ୍କ ବ୍ୟାଟରୁ ଅର୍ଦ୍ଧଶକ ଦେଖିବାକୁ ମିଳିଛି। ତେଣୁ ଏହି ସିଜନରେ ସେ କମାଲ କରିବେ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି। ଧୋନି ୬ଷ୍ଠ ୱିକେଟ ପାଇଁ ଜାଡେଜାଙ୍କ ସହ ୭୦ ରନ ଯୋଡ଼ିବାରୁ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭର୍ରେ ୫ ୱିକେଟ ହରାଇ ୧୩୧ ରନ୍ କରିପାରିଛି।
