ବିସିପିଏଲ ସିଜନ-୪ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ : ପରି ଚାଲେଞ୍ଜର ବିଜୟୀ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଡିଆରକେ କ୍ଲବ ଆନୁକୂଲ୍ୟରେ ଓ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସହଯୋଗରେ ଆୟୋଜିତ ବାରିପଦା କ୍ରିକେଟ ପ୍ରିମିୟାର ଲିଗ ସିଜନ-୪ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜିର ପ୍ରଥମ ମ୍ୟାଚରେ ପରି ଚାଲେଞ୍ଜର ମା ଜଗଦ୍ଧାତ୍ରୀ ୱରିୟାର୍ସକୁ ୯ ଉଇକେଟରେ ପରାସ୍ତ କରିଛି ।
ପ୍ରଥମେ ବ୍ୟାଟିଂ କରି ମା ଜଗଦ୍ଧାତ୍ରୀ ୱରିୟାର୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୧୬ ରନ କରିଥିଲେ। ଦଳ ପକ୍ଷରୁ ଶ୍ୱେତ ଦାସ ସର୍ବାଧିକ ୩୧ ରନ କରିଥିବାବେଳେ ବିପକ୍ଷ ଦଳର ଅଭିଷେକ ପରିଡା ଓ ସତ୍ୟନାରାୟଣ ଜୀଉ ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ପରି ଚାଲେଞ୍ଜର ୧୪.୫ ଓଭରରେ ମାତ୍ର ଗୋଟିଏ ଉଇକେଟ ହରାଇ ୧୨୦ ରନ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ । ଦଳ ପକ୍ଷରୁ ଅଭିଜ୍ଞାନ ମହାନ୍ତି ୮୭ ଓ ଦିବ୍ୟଲୋଚନ ଦାସ ୨୪ ରନ କରିଥିବାବେଳେ ବିପକ୍ଷ ଦଳର ପ୍ରିତମ ପଣ୍ଡା ଏକ ମାତ୍ର ଉଇକେଟ ଅକ୍ତିଆର କରିଥିଲେ। ଗତକାଲି ଖେଳାଯାଇଥିବା ଏକ ମାତ୍ର ମ୍ୟାଚରେ ଏଞ୍ଜେଲ -୧୧ ମା ଜଗଦ୍ଧାତ୍ରୀ ୱରିୟାର୍ସକୁ ୪ ଉଇକେଟରେ ପରାସ୍ତ କରିଥିଲେ ଓ ଆଜିର ଖେଳକୁ ସୁଶାନ୍ତ ମହାନ୍ତି, ଦିଲ୍ଲୀପ ଦାସ, ଅଭିଳାଷ ବିଶ୍ୱାଳ ଓ ଉତ୍ତମ ମହାକୁଡ଼ ପରିଚାଳନା କରିଥିବାବେଳେ ସମ୍ବିତ ମହାରଣା ସ୍କୋରିଙ୍ଗରେ ସହାୟତା କରିଥିଲେ। ପଙ୍କଜ ମହାକୁଡ଼ ଓ ସନ୍ଦୀପ ବାସ୍କେ ଧାରଓବିବାରଣୀ ପ୍ରଦାନ କରିଥିଲେ। ଜାତୀୟ ସ୍ତରୀୟ ଅମ୍ପାୟାର ଅରୁଣ ଦାସ ଆଜିର ମ୍ୟାଚକୁ ଉଦଘାଟନ କରିଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ବରିଷ୍ଠ ସଦସ୍ୟ ଉମେଶ ସାହୁ ତଥା ଆୟୋଜକ ଅମିତାଭ ଦାସ, ସତ୍ୟନାରାୟଣ ଜୀଉ, ଆଭାସ ଦେ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।
