ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନୀତ ହେଲେ ଢେଙ୍କାନାଳ ଜିଲାପାଳ, ଜନ୍ମ ମାଟିରୁ ଛୁଟୁଛି ପ୍ରଶଂସାର ସୁଅ
ନୀଳଗିରି : ଭୂ-ସଂସ୍କାର ଓ ଜମିଜମା ରେକର୍ଡର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଦେଶର ୭୫ ଜିଲାର ଜିଲାପାଳ, ସେମାନଙ୍କ ଟିମ ଏବଂ ୯ ଜଣ ସଚିବଙ୍କୁ ଭୂମି ସମ୍ମାନ-୨୦୨୩ରେ ସମ୍ମାନିତ କରିଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୭୫ ଜିଲାରୁ ଓଡ଼ିଶାରୁ ସର୍ବାଧିକ ୧୯ ଜିଲା ରହିଛି । ଏହି କ୍ରମରେ ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀଓ ତାଙ୍କ ଟିମକୁ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଭୂମୀ ସଂଶାଧନ ବିଭାଗ ପକ୍ଷରୁ ଭୂମି ସମ୍ମାନ-୨୦୨୩ ପ୍ଲାଟିନମ୍ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । ଏନେଇ ତାଙ୍କ ଜନ୍ମମାଟି ନୀଳଗିରିର ବୁଦ୍ଧିଜୀବୀ ମହଲରେ ଶ୍ରୀ ସେଠୀଙ୍କୁ ସମସ୍ତଙ୍କୁ ନେଇ କାର୍ଯ୍ୟ କରାଇବାର ଦକ୍ଷତାକୁ ପ୍ରଶଂସା କରିଛନ୍ତି ।

ଶ୍ରୀ ସେଠୀ ହେଉଛନ୍ତି ନୀଳଗିରି ବ୍ଲକ ତେନ୍ତୁଳିଆ ଗ୍ରାମର ଗୁରୁପ୍ରସାଦ ସେଠୀ, ମାତା ରାହାସମଣୀ ସେଠୀଙ୍କ ପୁଅ । ବାପା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ। ସେ ଅଯୋଧ୍ୟା ସ୍କୁଲରେ ତୃତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ । ସ୍କୁଲ ଶିକ୍ଷା ପରେ ବାଲେଶ୍ୱର ଏଫ୍ଏମ୍ କଲେଜରେ ସେ ଶିକ୍ଷାଲାଭ କରିଥିଲେ। ପରେ ବିଜେବି କଲେଜରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୧୯୯୧ରୁ ଆରମ୍ଭ ହୋଇଥିଲା ତାଙ୍କ ଚାକିରୀ ଜୀବନ। ୧୯୯୯ ପ୍ରଳୟଙ୍କରୀ ମହାବାତ୍ୟା ସମୟରେ ବାଲେଶ୍ୱର ଜିଲ୍ଲାର ଏମାରଜେନ୍ସି ଅଧିକାରୀ ଭାବରେ ଅବସ୍ଥାପିତ ଥାଇ ବାତ୍ୟା ମୁକାବିଲା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ସହ ବିଭିନ୍ନ ପଦବୀ ତଥା ଉଦଳା ଉପ-ଜିଲାପାଳ, ବାଲେଶ୍ୱରରେ ବିଡ଼ିଓ, ତହସିଲଦାର, କଟକରେ ସିଡ଼ିଏ ସେକ୍ରେଟାରୀ, ଜଙ୍ଗଲ ବିଭାଗ ଓ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ଶାସନ ସଚିବ, ଭୁବନେଶ୍ବର ପାନୀୟ ବିଭାଗର ମ୍ୟାନେଜିଂ ଡାଇରେକ୍ଟର ପରେ ଏବେ ଢେଙ୍କାନାଳ ଜିଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି।
