ଧାମନଗର ଉପ-ନିର୍ବାଚନ ଗଣତି : ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ୧୩୭୯ ଭୋଟରେ ଆଗୁଆ ଭାଜପା ପ୍ରାର୍ଥୀ
ଭଦ୍ରକ : ଧାମନଗର ଉପ-ନିର୍ବାଚନର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ଭିତରେ ଭଦ୍ରକ ସଂସ୍କୃତି ଭବନରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ସହ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମ ରାଉଣ୍ଡ ଭଳି ଦ୍ୱିତୀୟ ରାଉଣ୍ଡରେ ବି ଆଗରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ । ମୋଟ ୨ଟି ରାଉଣ୍ଡ ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୧୩୭୯ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି ସୁରଜ ସୂର୍ଯ୍ୟବଂଶୀ ।
୨ଟି ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୭୩୫୮ ଖଣ୍ଡ ଭୋଟ ମିଳିଥିବା ବେଳେ ସୁରଜ ସୂର୍ଯ୍ୟବଂଶୀଙ୍କୁ ୮୭୩୭ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୩୧୩, ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କୁ ୫୯୭ ଖଣ୍ଡ ଭୋଟ ମିଳିଥିବା ବେଳେ ନୋଟାରେ ପଡିଛି ୫୨ ଖଣ୍ଡ ଭୋଟ । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗରେ ରହିଥିବା ବେଳେ ବିଜେପି ଶିବିରରେ ଉତ୍ସାହ ଖେଳି ଯାଇଛି ।
