ସ୍ପାଇସଜେଟ୍ ଉପରୁ କଟକଣା ହଟାଇଲା ଡିଜିସିଏ ସତରେ କଣ ଝାରସୁଗୁଡ଼ା ବିମାନସେବା ସ୍ୱାଭାବିକ ହେବ?
ଝାରସୁଗୁଡ଼ : ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥା ସ୍ପାଇସଜେଟ୍ ଉପରୁ ଡାଇରେକ୍ଟର ଜେନେରାଲ ଅଫ ସିଭିଲ ଏଭିଏସନ(ଡିଜିସିଏ) କଟକଣା ହଟାଇଛି । ଆଗାମି ୱିଣ୍ଟର ସିଡ୍ୟୁଲରୁ ସ୍ପାଇସଜେଟ୍ର ବିମାନ ସଂଖ୍ୟା ପୂର୍ବଭଳି ରହିବ । ଅର୍ଥାତ ଶତ ପ୍ରତିଶତ ବିମାନ ଚଳାଚଳ ସୁଯୋଗ ହାଇବା କାରଣରୁ ସମର ସିଡ୍ୟୁଲରେ ଦେଖା ଦେଇଥିବା ଅସୁବିଧା ଆଉ ଶୀତଦିନିଆ ସିଡ୍ୟୁଲରେ ହେବ ନାହିଁ ଏଭଳି ସମ୍ଭାବନା ରହିଛି । ସ୍ପାଇସଜେଟ୍ର ବିମାନ ସଂଖ୍ୟା ଦେଶରେ ୫୦ ପ୍ରତିଶତ ହ୍ରାସ କରାଯାଇଥିବା କାରଣରୁ ଝାରସୁଗୁଡ଼ା ଭଳି ବିମାନବନ୍ଦର ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ମାତ୍ର ଏବେ ଶତ ପ୍ରତିଶତ ବିମାନ ଚଳାଚଳର ସୁଯୋଗ ଝାରସୁଗୁଡ଼ା ଦେଇ ବିମାନସେବାରେ ସ୍ୱାଭାବିକତା ଆଣିବ ବୋଲି ଆଶା କରାଯାଉଛି । ଦିନେ ଦୁଇ ଦିନ ମଧ୍ୟରେ ଶୀତଦିନିଆ ସିଡ୍ୟୁଲ ପ୍ରକାଶ ପାଇବାକୁ ଥିବାରୁ ଝାରସୁଗୁଡ଼ା ଦେଇ ବିମାନ ଚଳାଚଳ ସ୍ଥିତି ସ୍ପଷ୍ଟ ହେବ । ଗତ ବର୍ଷର ଶୀତଦିନିଆ ସିଡ୍ୟୁଲ ଅନୁଯାୟୀ ସାପ୍ତାହୀକ ଡୋମେଷ୍ଟିକ ଫ୍ଲାଇଟ୍ ସଂଖ୍ୟା ଦେଶରେ ୨୨୨୮୭ ରହିଥିଲା । ଏଥର ଆଗାମି ଶୀତଦିନିଆ ସିଡ୍ୟୁଲ ପାଇଁ ସାପ୍ତାହୀକ ବିମାନ ସଂଖ୍ୟା ୨୧୯୪୧ ଅନୁମୋଦନ ଲାଭ କରିଛି । ଯଦିଓ ଗତ ବର୍ଷ ଶୀତଦିନିଆ ସିଡ୍ୟୁଲ ଅପେକ୍ଷା ଏଥର ଶୀତଦିନିଆ ସିଡ୍ୟୁଲରେ ୧.୫ ପ୍ରତିଶତ ବିମାନ ସଂଖ୍ୟା କମ ରହିଛି ତଥାପି ମଧ୍ୟ ବିମାନ ଚଳାଚଳରେ ସ୍ୱାଭାବିକତା ରହିବାର ସମ୍ଭାବନା ରହିଛି । ସବୁଠାରୁ ଆଶିକ ଆଶ୍ୱସ୍ତି ସ୍ପାଇସଜେଟ୍କୁ ମିିଳିଛି । ଗତ ଜୁଲାଇ ୨୭ ତାରିଖ ଠାରୁ ଅକ୍ଟୋବର ୨୯ ତାରିଖ ଯାଏଁ ଡିଜିସିଏ ପକ୍ଷରୁ ଲଗାଯାଇଥିବା ୫୦ ପ୍ରତିଶତ ବିମାନ ସଂଖ୍ୟା ହ୍ରାସ କଟକଣା ହ୍ରାସ ନିଷ୍ପତି ଏହି ପ୍ରାଇଭେଟ ପ୍ଲେୟାର ପାଇଁ ଆଶ୍ୱସ୍ତିକର । ଯାନ୍ତ୍ରିକ ତ୍ରୁଟି କାରଣରୁ ଲଗାତାର ଭାବେ ସ୍ପାଇସଜେଟ ବିମାନରେ ସମସ୍ୟା ଦେଖା ଦେବା କାରଣରୁ ଗତ ସମର ସିଡ୍ୟୁଲରେ ଡିଜିସିଏ ଏହି କଟକଣା ଜାରି କରିଥିଲା । ସ୍ପାଇସଜେଟ୍ ବିମାନ ଚଳାଚଳ କ୍ଷେତ୍ରରେ ସକ୍ଷମ ହେବା ସହ ସମ୍ବଳ ଥିବା ନେଇ ଡିଜିସିଏ ସନ୍ତୁଷ୍ଟ ହେବା ପରେ ଶୀତଦିନିଆ ସିଡ୍ୟୁଲ ପାଇଁ ଏଭଳି ଏକ ନିଷ୍ପତି ନେଇଛି । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଦେଇ ସ୍ପାଇସଜେଟ୍ ପକ୍ଷରୁ ଦିଲ୍ଲୀ, କୋଲକାତା, ହାଇଦ୍ରାବାଦ, ବାଙ୍ଗାଲୁରୁ, ମୁମ୍ବଇ ଆଦିସ୍ଥାନକୁ ବିମାନସେବା ଜାରି ରହିଥିଲା । ସ୍ପାଇସଜେଟ୍ର ବିମାନ ସଂଖ୍ୟା ଗତ ସମର ସିଡ୍ୟୁଲରେ ୫୦ ପ୍ରତିଶତ ହ୍ରାସ କରାଯିବା ପରେ ଏହି ସବୁ ରୁଟ୍ରେ ବିମାନ ଚଳାଚଳ ଗଭୀର ପ୍ରଭାବିତ ହୋଇଥିଲା । ଦିଲ୍ଲୀ ଏବଂ କୋଲକାତାକୁ ଅନିୟମିତ ବିମାନସେବା ଜାରି ରହିଥିବା ବେଳେ ହାଇଦ୍ର୍ରାବାଦ, ବାଙ୍ଗାଲୁରୁ, ମୁମ୍ବଇ ଆଦି ରୁଟ୍ରେ ବିମାନ ସଂପର୍ଣ୍ଣ ବନ୍ଦ ରହିଛି । ଏବେ ଡିଜିସିଏ ଗ୍ରହଣ କରିଥିବା ନିଷ୍ପତି ପରେ ପୁଣିଥରେ ଝାରସୁଗୁଡ଼ା ଦେଇ ବିମାନସେବାରେ ଉନ୍ନତି ତଥା ସ୍ୱାଭାବିକତା ନେଇ ଆଶା ଇଜ୍ଜୀବିତ ହୋଇଛି ।
