ବରିଷ୍ଠ ନାଗରିକମାନଙ୍କୁ ସ୍ୱତନ୍ତ୍ରଭାବେ ସୁବିଧା ଯୋଗାଇ ଦେବାକୁ ଦାବି
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକର ବରିଷ୍ଠ ନାଗରିକ ମାନଙ୍କୁ ବିଭିନ୍ନ ସରକାରୀ ଦପ୍ତର ଓ ବ୍ୟାଙ୍କର କର୍ତ୍ତୃପକ୍ଷମାନେ ସୁବିଧା ସୁଯୋଗ ଯୋଗାଇ ଦେବା ସହ ସ୍ୱତନ୍ତ୍ର ଭାବେ ସହଯୋଗ କରିବାକୁ ତିହିଡ଼ି ବ୍ଲକ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଏ ନେଇ ବ୍ଲକ ସଭାପତି ସୋମନାଥ ପାଢ଼ୀ, କାର୍ଯ୍ୟକାରୀ ସଭାପତି ହରେକୃଷ୍ଣ ମହାକୁଡ଼, ଉପସଭାପତି ମହେଶ ଦାସ, ସଂପାଦକ ବିଭୂତିଭୂଷଣ ସେନାପତି, ସହ ସଂପାଦକ ସୁରେନ୍ଦ୍ର ମାଝୀ, ସନ୍ନ୍ୟାସୀ ଚରଣ ବ୍ରହ୍ମ, ତିହିଡ଼ି ଜୋନ୍ ସଭାପତି ନିତ୍ୟାନନ୍ଦ ମଲ୍ଲିକ, ଜୋନ ସଂପାଦକ ପି.ହୃଷିକେଶ, କୋଷାଧ୍ୟକ୍ଷ ମଥୁୁରାମୋହନ ବେହେରା, କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ସାହୁ, ଉପଦେଷ୍ଟା ସୁରେନ୍ଦ୍ର କୁମାର ନାୟକ, ଓ ରଘୁନାଥ ମହାପାତ୍ରଙ୍କ ନେତୃତ୍ୱରେ ଏକ ୧୨ଜଣିଆ ଟିମ୍ ତିିହିଡ଼ି ଥାନା, ୟୁକୋ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ, ମେଡିକାଲ ଓ ପୋଷ୍ଟ ଅଫସକୁ ଯାଇ ସୌଜନ୍ୟ ମୂଳକ ଭାବେ ବିଭାଗୀୟ ମୁଖ୍ୟଙ୍କୁ ସାକ୍ଷାତ କରି ନିଜ ନିଜର କାର୍ଯ୍ୟାଳୟରେ କର୍ମକର୍ତ୍ତାଙ୍କର ବରିଷ୍ଠ ନାଗରିକଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର ବିଷୟରେ ଆଲୋଚନା କରିଥିଲେ । ଏଥି ସହ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପ୍ରଣିତ ନିୟମ କାନୁନ ପ୍ରତି ଦୃଷ୍ଟି ଦେବାପାଇଁ ଅବଗତ କରାଇଥିଲେ । ନିକଟ ଅତୀତରେ ପ୍ରକାଶିତ ହାଇକୋର୍ଟ ନିର୍ଦ୍ଦେଶ ଏକ ଅବିକଳ ନକଲ ମଧ୍ୟ ପ୍ରଦାନ କରିଥିଲେ । ପୋଲିସ୍ ବିଭାଗରୁ ପ୍ରଣିତ ଆଇନ କାନୁନର ଏକକିତା ଅବିକଳ ନକଲ ସହିତ ଅନ୍ୟାନ୍ୟ ଗରୁତ୍ୱପୂର୍ଣ୍ଣ କାଗଜ ପତ୍ର ପ୍ରଦାନ କରିଥିଲେ । ବରିଷ୍ଠମାନେ ସମାଜ ପାଇଁ ଦିଗ୍ ଦର୍ଶକ ହୋଇଥିବାରୁ ଆଗାମୀ ଦିନରେ ସେମାନେ ସେମାନଙ୍କର ନାଯ୍ୟ ଆଇନ୍ ଅନୁମୋଦିତ ଦାବି ସଂପର୍କରେ ଅବଗତ କରାଇଲେ ତାହା ଅଚିରେ ସମାଧାନ କରାଯିବ ବୋଲି ବିଭାଗୀୟ ମୁଖ୍ୟମାନେ ପ୍ରତିଶୃତି ଦେଇଥିଲେ ।
