ତୁର୍କୀ-ସିରିଆ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ଟପିଲା ୨୧ହଜାର, ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି ୧ଲକ୍ଷ ୮୦ହଜାରରୁ ଅଧିକ
ନୂଆଦିଲ୍ଲୀ : ତୁର୍କୀ ଓ ସିରିଆରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୨୧ ହଜାର ଟପିଯାଇଛି । ଭଗ୍ନାବଶେଷ ତଳେ ୧ ଲକ୍ଷ ୮୦ ହଜାରରୁ ଅଧିକ ତଳେ ଚାପି ହୋଇ ରହିଥିବା କୁହାଯାଉଛି । ସେପଟେ ୨ କୋଟିରୁ ଅଧିକ ଲୋକ ପ୍ରଭାବିତ ହେବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆଶଙ୍କା କରିଛି । ତୁର୍କୀରେ ସ୍ଥିତି ଏବେ ବି ସଂଗୀନ ରହିଛି ।
ଭୂମିକମ୍ପ ହେବାର ୭୨ ଘଣ୍ଟା ବିତିଯାଇଥିବାରୁ ଧ୍ୱଂସସ୍ତୁପ ତଳୁ ଜୀବିତ ଲୋକଙ୍କ ସନ୍ଧାନ ମିଳିବା ସମ୍ଭାବନା କମି କମି ଆସୁଛି । ତଥାପି ଉଦ୍ଧାରକାରୀମାନେ ଧ୍ୱଂସସ୍ତୁପ ଖୋଜିବାରେ ଲାଗିଛନ୍ତି । ତୁର୍କୀରେ ସ୍ଥିତି ଏତେ ମୃତଦେହ ପଡ଼ିରହଛି ଯେ ହସପିଟାଲ ଗୁଡ଼ିକର ପାର୍କିଂ ସ୍ଥାନଗୁଡ଼ିକରେ ଶବଗୁଡ଼ିକୁ ରଖାଯାଇଛି । ଗୋଟିଏ ଗୋଟିଏ ପରିବାର ସଂସାରରୁ ନିଶ୍ଚିହ୍ନ ହୋଇଯାଇଛି । ତୁର୍କୀ ଓ ସିରିଆରେ ଅନେକ ଶିଶୁ ଅନାଥ ହୋଇଯାଇଛନ୍ତି । ତୁର୍କୀର ବିଭିନ୍ନ ହସପିଟାଲ ଓ ସ୍କୁଲଗୁଡ଼ିକରେ ଅନେକ ଅଚିହ୍ନା ଶବ ପଡ଼ିରହିଛି ।
ତୁର୍କୀ ରାଷ୍ଟ୍ରପତି ରେସେପ୍ ତୟିପ୍ ଏର୍ଡୋଗାନ୍ ବୁଧବାର ଭୂମିକମ୍ପ ଉପରେ ତାଙ୍କ ସରକାରଙ୍କ ପ୍ରତିକ୍ରିୟା ରଖିଛନ୍ତି । ଉଦ୍ଧାରକାର୍ଯ୍ୟକୁ ନେଇ ହେଉଥିବା ସମାଲୋଚନା ପରେ ପ୍ରଶାସନ ଦ୍ୱାରା ହୋଇଥିବା ‘ତ୍ରୁଟି’କୁ ସ୍ୱୀକାର କରିଛନ୍ତି । ଅନ୍ୟପକ୍ଷରେ ବଞ୍ଚିଥିବା ଲୋକଙ୍କ ପାଇଁ ଖାଦ୍ୟ ଓ ଆଶ୍ରୟ ପାଇଁ ସଂଘର୍ଷ କରୁଥିବା ଜଣାଯାଇଛି । ଏହା ପରେ ବି ସରକାରଙ୍କ ସହାୟତା ପହଁଚି ପାରୁନାହିଁ । ଏହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି ।
