ଆଦାନୀ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ମାମଲା : ଆଜି ସୁପ୍ରିମକୋର୍ଟ ଶୁଣାଣି
ନୂଆଦିଲ୍ଲୀ : ଆଦାନୀ ଗ୍ରୁପକୁ ନେଇ ହିଣ୍ଡେନବର୍ଗ ରିପୋର୍ଟ ଏବଂ ଏହାର ମାଲିକ ନାଥନ ଆଣ୍ଡରସନଙ୍କ ବିରୋଧରେ ରୁଜୁ ହୋଇଥିବା ୨ଟି ମାମଲା ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ । ଆଇନଜୀବୀ ଏମ ଏଲ ଶର୍ମା ଏବଂ ବିଶାଲ ତିୱାରୀ ଦୁଇଟି ମାମଲା ରୁଜୁ କରିଛନ୍ତି । ଆଦାନୀ କମ୍ପାନୀ ବିରୋଧରେ ହିଣ୍ଡେନବର୍ଗ ଯେଉଁ ରିପୋର୍ଟ ପ୍ରକାଶ କରିଛି ତାର ପ୍ରମାଣ ଭାରତର ସେବିକୁ ଦେଇପାରିନାହିଁ ଆମେରିକାର ଏହି ରିସର୍ଚ୍ଚ କମ୍ପାନୀ ।
ତେଣୁ ଏହି ସଂସ୍ଥା ବାବାଦରେ କୋର୍ଟଙ୍କ ତତ୍ୱବଧାନରେ ତଦନ୍ତ କରିବାକୁ ଆବେଦନ ହୋଇଛି । କାରଣ ହିଣ୍ଡେନବର୍ଗର ରିପୋର୍ଟ ପରେ ଆଦାନୀ ଗ୍ରୁପ ଅନେକ କ୍ଷତି ସହିଛି । ଏହାଦ୍ୱାରା ନିବେଶକମାନେ କୋଟି କୋଟି ଟଙ୍କା କ୍ଷତି ସହିଛନ୍ତି । ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗର ଅଭିଯୋଗ ଉପରେ ତଦନ୍ତ ପାଇଁ ଏକ କମିଟି ଗଠନ କରିବା ସହ କୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ୱାବଧାନରେ ତଦନ୍ତ କରିବାକୁ ଆବେଦନରେ କୁହାଯାଇଛି ।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ନିକଟରେ ଆଇନଜୀବୀ ବିଶାଲ ତିୱାରୀ ଏହି ଆବେଦନ କରିଛନ୍ତି । ସେ ଖଣ୍ଡପୀଠଙ୍କୁ ଆବେଦନର ଶୁଣାଣି କରିବାକୁ କହିଥିଲେ । ଏହି ପିଟିସନରେ ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗର ଅଭିଯୋଗର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିବା ସହ ବଡ଼ ବଡ଼ କର୍ପୋରେଟ ସଂସ୍ଥାଗୁଡ଼ିକୁ ଦିଆଯାଇଥିବା ୫୦୦ କୋଟିରୁ ଅଧିକ ଟଙ୍କାର ଋଣର ମଞ୍ଜୁରି ନୀତିର ସମୀକ୍ଷା କରିବାକୁ କୁହାଯାଇଛି ।
