ମଶା ଧୁଆଁରୁ ଜଳିଗଲା ଗୁହାଳ ଘର : ୧ ଗୋରୁ ଜୀବନ୍ତ ଦଗ୍ଧ, ୩ ଆହତ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ବ୍ଲକ ବରୁଣଗଡ଼ିଆ ପଞ୍ଚାୟତ ଗୁଣ୍ଡରିମରା ଗ୍ରାମରେ ଅଭାବନୀୟ ଘଟଣା । ମଶା ଧୁଆଁରୁ ନିଆଁ ଲାଗି ଜଳିଗଲା ଗୁହାଳ ଘର । ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୩ଟି ଗୋରୁ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।
ଗୁଣ୍ଡରିମରା ଗ୍ରାମର ହରିପଦ ହାତୀଙ୍କ ଗୁହାଳରେ ଗୋରୁଗାଈ ମାନଙ୍କୁ ମଶା ଦାଉରୁ ରକ୍ଷା ଦେବା ପାଇଁ ମଶାରୀ ଟଙ୍ଗାଇବା ସହିତ ଧୁଆଁ ଦେଇଥିଲେ । ବିଳମ୍ବିତ ରାତିରେ ସେହି ଧୁଆଁରୁ ମଶାରୀରେ ନିଆଁ ଲାଗି ଗୁହାଳର ଏଜବେଷ୍ଟସ ଛପର ଜଳି ଯାଇଥିଲା । ନିଆଁ ଜଳୁଥିବାର ଦେଖି ପରିବାର ଲୋକେ ନିଆଁ ଦାଉରୁ ଗୋରୁ ମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା ସହିତ ଗାଁ ଲୋକଙ୍କୁ ଡାକି ନିଆଁ ଲିଭାଇଥିଲେ । ଏହି ଅଗ୍ନିକାଣ୍ଡରେ ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଟି ଗୋରୁ ଗୁରୁତର ଆହତ ହୋଇଛନ୍ତି । ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
