ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
କନ୍ଧମାଳ : ଓଡିଶାରୁ ସଂପୂର୍ଣ୍ଣ ବିଦାୟ ନେଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଫଳରେ ରାଜ୍ୟରୁ ଧୀରେ ଧୀରେ ପାରଦ ତଳକୁ ଖସୁଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳକୁ ଛୁଇଁଛି ପହିଲି ଶୀତ। ଗତ ଦୁଇ ଦିନ ହେବ ଉଭୟ ଜିଲ୍ଲାରେ ହାଲକା ଶୀତ ଅନୁଭୂତ ହେଉଛି । ଏହି ପରିପ୍ରେକ୍ଷୀରେ ଦାରିଙ୍ଗିବାଡ଼ିରେ ୧୧ ଡିଗ୍ରୀକୁ ଖସିଆସିଛି ପାରଦ । ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୫.୨ ଓ ଭବାନୀପାଟଣାରେ ୧୬.୮ଡିଗ୍ରୀକୁ କମିଛି । ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେବା ଆରମ୍ଭ ହୋଇଯାଇଛି ।
ଶୁକ୍ରବାର ଦାରିଙ୍ଗିବାଡ଼ିରେ ପାରଦ ସର୍ବନିମ୍ନ ୧୬ ଡିଗ୍ରୀ ଥିବାବେଳେ ଶନିବାର ପାରଦ ହଠାତ୍ ୫ଡିଗ୍ରୀ ଖସିଛି । ଭବାନୀପାଟଣାରେ ସର୍ବନିମ୍ନ ତାପମାତ୍ରା ୧୬.୮ ଡିଗ୍ରୀ, ସୋନପୁରରେ ୧୭, କେନ୍ଦୁଝରରେ ୧୮, ଝାରସୁଗୁଡ଼ାରେ ୧୮.୬, ଅନୁଗୁଳରେ ୧୯, ନୟାଗଡ଼ରେ ୧୯ ଏବଂ ହୀରାକୁଦରେ ସର୍ବନିମ୍ନ ତାପମାତ୍ରା ୧୯.୧ ଡିଗ୍ରୀ ରେକର୍ଡ ହୋଇଛି । ସେପଟେ ଶନିବାର ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ସମ୍ପୂର୍ଣ୍ଣ ଫେରିଯାଇଛି । ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଉତ୍ତର ପୂର୍ବ ଭାରତରୁ ପ୍ରତ୍ୟାବର୍ତ୍ତନ କରିଛି । ଆସନ୍ତା ୨୮ ତାରିଖ ଯାଏ ରାଜ୍ୟରେ ଶୁଖିଲା ପାଗ ରହିବ । ଦିନକୁ ଦିନ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
