ବାତ୍ୟା ‘ଗୁଲାବ’ ପାଇଁ ଗୋପାଳପୁର ବନ୍ଦରରେ ୩ ନଂ ବିପଦ ସଙ୍କେତ, ଗଞ୍ଜାମକୁ ରେଡ୍ ୱାର୍ଣିଂ
ଭୁବନେଶ୍ଵର : ଆସୁଛି ବାତ୍ୟା ‘ଗୁଲାବ’। ବଙ୍ଗୋସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେଇଛି। କାଲି ସଂଧ୍ୟାରେ କଳିଙ୍ଗପାଟନମ ଓ ଗୋପାଳ ମଧ୍ୟରେ ସ୍ଥଳ ଭାଗ ଛୁଇଁବା ସମ୍ଭାବନା । ଏହି ସମୟରେ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡିଶାର ୭ ଜିଲ୍ଲାରେ ଏହାର ପ୍ରଭାବ ଅଧିକ ପଡିବ। ଉପକୂଳ ଓଡିଶାରେ ମଧ୍ୟ ପ୍ରବଳ ବର୍ଷିବା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଏସଆରସି । ପ୍ରଭାବତି ଜିଲ୍ଲାରେ ଏନଡିଆରଏଫ, ଓଡ୍ରାଫ ଏବଂ ଫାୟାର ଟିମ୍ ମୁତୟନ କରାଯାଇଛି।
ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଯୋଗୁଁ ଗଞ୍ଜାମକୁ ଲାଲ ସତର୍କତା (ରେଡ୍ ୱାର୍ଣିଂ) ଦିଆଯାଇଥିବା ବେଳେ ଗୋପାଳପୁର ବନ୍ଦରରେ ୩ ନଂ ବିପଦ ସଙ୍କେତ ଦିଆଯାଇଛି । ରବିବାର ସଂଧ୍ୟା ସୁଦ୍ଧା ଗୋପାଳପୁର ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୫ ରୁ ୮୫ ରହିବା ସହ ଝଟକା ପବନ ୯୫ ପର୍ଯ୍ୟନ୍ତ ରହିବ ବୋଲି ଅନୁମାନ କରାଯାଇଛି । ସେହି ସମୟରେ ସମୁଦ୍ର ଜୁଆର ତଳି ଅଞ୍ଚଳରେ ୦ .୫ ଉପରକୁ ଆସିପାରେ ବୋଲି ସୂଚନା ମିଳିଛି । ଉପକୂଳ ଅଞ୍ଚଳରେ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୨୬ ଓ ୨୭ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ୪୧୦ କିମି ଦୂରରେ ଥିବା ବେଳେ ଏହାର ବେଗ ଘଣ୍ଟା ପ୍ରତି ୧୭ କିମି ବେଗରେ ଗତି କରୁଥିବା ସୂଚନା ମିଳିଛି । ବାତ୍ୟାକୁ ନଜରରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ, ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକଙ୍କୁ ବେଳାଭୂମି ବାରଣ କରାଯାଇଛି। ତେଣୁ ଏନଏସି ପକ୍ଷରୁ ପ୍ରଶାସନ ନିର୍ଦ୍ଦେଶ କ୍ରମେ ଡାକ ବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯିବା ସହ ବାତ୍ୟା ଆଶ୍ରୟସ୍ଥଳୀ, ଶିଶୁ ମନ୍ଦିର ଏବଂ ଏନ୍ଏସି କାର୍ଯ୍ୟାଳୟ କୁ ସଫସୁତରା କରାଯିବା ସହ ଆଲୋକିକରଣ, ବିଶୁଦ୍ଧ ପାନୀୟ ଜଳ, ସ୍ଵାସ୍ଥ୍ୟ ସେବା, ଶୁଖିଲା ଓ ରନ୍ଧ ଖାଦ୍ୟ ବ୍ୟବସ୍ଥା କରାଯିବା ସହ ସମସ୍ତ କର୍ମଚାରୀଙ୍କୁ ଛୁଟି ବାତିଲ କରାଯିବା ସହ ସମସ୍ତ ଙ୍କୁ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରାଣନାଥ ଶେଠ୍ କହିଛନ୍ତି। ରବିବାର ଓ ସୋମବାର ଗୋପାଳପୁର ବେଳାଭୁମି କୁ ବାରଣ କରାଯିବା ସହ କଡା ପହିତରା ଦିଆଯିବ ବୋଲି ଥାନା ଅଧିକାରୀ ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି।
