ହୀରାକୁଦ ଜଳଭଣ୍ଡାରରେ ବିପଦ ସଙ୍କେତ ନିକଟତର; ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ
ସମ୍ଵଲପୁର : ହୀରାକୁଦ ଜଳଭଣ୍ଡାରରେ ଏବେ ବିପଦ ସଙ୍କେତ ନିକଟତର ହୋଇଛି । ବିପଦ ସଙ୍କେତ ୬୩୦ ଫୁଟ୍ ରହିଥିବାବେଳେ ଅପରାହ୍ନ ୩ଟାରେ ଏଠାରେ ୬୨୯.୬୫ ଫୁଟ୍ ଉଚ୍ଚତା ରହିଛି । ଜଳଭଣ୍ଡାର ଭିତରକୁ ବର୍ଷା ଜଳ ପ୍ରବେଶ କରିବା କମିଛି । ଏବେ ୧ଲକ୍ଷ ୮୮ହଜାର ୪୬୭ କ୍ୟୁସେକ ଜଳ ହୀରାକୁଦ ଜଳଭଣ୍ଡାର ଭିତରକୁ ଯାଉଥିବାବେଳେ ୧ଲକ୍ଷ ୮୮ହଜାର ୪୬୭ କ୍ୟୁସେକ୍ ପ୍ରବାହିତ ହେଉଛି। ଫଳରେ ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ । ବର୍ତ୍ତମାନ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହୋଇଛି । ବାମ ପାର୍ଶ୍ୱରେ ୯ ଏବଂ ଡାହାଣ ପାର୍ଶ୍ୱରେ ୩ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ତେବେ ଜଳଭଣ୍ଡାର ଇନଫ୍ଲୋ ବଢିବା ସହ ଜଳସ୍ତର ବଢିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ ।
ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତଙ୍କ ସୂଚନା ଅନୁଯାୟୀ ଖଇରାମାଳଠାରେ ୩ଲକ୍ଷ ୫ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାବେଳେ ୩ଲକ୍ଷ ୯୬ହଜାର ୨୫୦ କ୍ୟୁସେକ୍ ବରମୂଳଠାରେ ଏବଂ ୫ଲକ୍ଷ ୮୨ହଜାର ୮୬୫ କ୍ୟୁସେକ୍ ଜଳ ମୁଣ୍ଡଳିଠାରେ ପ୍ରବାହିତ ହେଉଛି। ସବୁଠାରୁ ବଡ଼କଥା ହେଲା ଜଳକାର ମଥାନିଠାରେ ଗତ ୪ଦିନ ହେଲାଣି ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ଏଠାରେ ୫.୫୦ ମିଟର ବିପଦ ସଙ୍କେତ ରହିଥିବାବେଳେ ଅପରାହ୍ଣ ୩ଟା ସୁଦ୍ଧା ବିପଦ ସଙ୍କେତ ଡେଇଁ ଜଳସ୍ତର ୬.୦୨ ମିଟର ରହିଛି। ବୈତରଣୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବାବେଳେ ଏଠାରେ ଏବେ ୧୭.୪୬ ମିଟର ରହିଛି। ଏହାବାଦ୍ ନରାଜ, ଆଳିପିଙ୍ଗଳ, ନିମାପଡା, ଜାମଶୋଲାଘାଟ ଓ ଗୁଣୁପୁର ପ୍ରଭୃତି ସ୍ଥାନରେ ଜଳସ୍ତର ବିପଦ ସଙ୍କେତଠାରୁ ୧ ମିଟରରୁ ୫ଫୁଟ୍ ତଳେ ରହିଛି। ଜଳସ୍ତର କମିଥିଲେ ହେଁ ଲୋକଙ୍କ ଦୁର୍ଦଶା କମିନାହିଁ। ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ପୁରୀ ପ୍ରଭୃତି ଜିଲାର କେତେକ ସ୍ଥାନରେ ବନ୍ୟା ଜଳ ଧୀରେ ଧୀରେ ଛାଡୁଥିଲେ ହେଁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେଉଁଠି ଲୋକଙ୍କ ଘର ଭାଙ୍ଗି ଯାଇଥିବାରୁ ପଲିଥିନ୍ ଖଣ୍ଡେ ନପାଇ ସରକାରଙ୍କ ହାତକୁ ଅନାଇଁ ରହିଥିବାବେଳେ ଆଉ କେତେକ ସ୍ଥାନରେ ଚାଷଜମି ନଷ୍ଟ ହୋଇ ଯାଇଥିବାରୁ ଲୋକେ ବର୍ଷକ କିଭଳି ଚଳିବେ ସେନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ପରିସ୍ଥିତି ଅନୁଧ୍ୟାନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।
