ରାସ୍ତାରେ ଖରାପ ହେଲା ଅମ୍ବୁଲାନ୍ସ, ରୋଗୀ ମୃତ
ସମ୍ବଲପୁର : ରାସ୍ତାରେ ଖରାପ ହେଲା ଅମ୍ବୁଲାନ୍ସ । ବ୍ରେକ୍ ଡାଉନ ଯୋଗୁଁ ଅଟକି ରହିଥିବା ଆମ୍ବୁଲାନ୍ସ ଭିତରେ ଚାଲିଗଲା ରୋଗୀଙ୍କ ଜୀବନ । ଅଧ ଘଣ୍ଟା ଆମ୍ବୁଲାନ୍ସ ଅଟକି ରହିବାରୁ ତା ଭିତରେ ରୋଗୀଙ୍କର ମୃତ୍ୟୁ ହୋଇଛି । ଏପରି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁରରେ । ବୁର୍ଲାକୁ ଆଉ କିଛି ବାଟ ବାକିଥିବାବେଳେ ସମ୍ବଲପୁର ରେମେଡ୍ ଲେଭଲ କ୍ରସିଂ ନିକଟରେ ଏଭଳି ଘଟଣା ଘଟିଛି । ସୋମବାର ଅପରାହ୍ନରେ ସମ୍ବଲପୁରରେ ୧୦୮ ଆମ୍ବୁଲାନ୍ସ ଜଣେ ମହିଳାଙ୍କୁ ନେଇ ଡାକ୍ତରଖାନା ଯିବା ବାଟରେ ରୋଗୀଙ୍କର ମୃତ୍ୟୁ ହେବା ପରେ ସେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ପରିଚାଳନାକୁ ନେଇ ପୁଣି ପ୍ରଶ୍ନ ଉଠିଛି ।
ସୂଚନା ଯେ, ଆମ୍ବୁଲାନ୍ସରେ ବୈଷୟୀକ ତୃଟି ଯୋଗୁଁ ସମ୍ବଲପୁର ଅତିକ୍ରମ କରିବା ପରେ ୧୦୮ ଆମ୍ବୁଲାନ୍ସ ଜାତୀୟ ରାଜପଥରେ ରହିଯାଇଥିଲା । ଆମ୍ବୁଲାନ୍ସରେ ରୋଗୀଙ୍କର ସ୍ୱାମୀଙ୍କ ସହିତ ତାଙ୍କ ଝିଅ ମଧ୍ୟ ଉପସ୍ଥିତ ଥିଲେ । ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିବାରେ ଅସମର୍ଥ ହୋଇ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ରୋଗୀ ସହିତ ଆସୁଥିବା ପରିବାର ସଦସ୍ୟ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଡାକ୍ତରଖାନା ସ୍ଥାନାନ୍ତର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ। ତେବେ ବୁର୍ଲାର ଅନ୍ୟ ଏକ ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ଚି ନଥିବାରୁ ଆମ୍ବୁଲାନ୍ସରେ ରୋଗୀଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ବୁର୍ଲା ଆମ୍ବୁଲାନ୍ସ ଘଟଣାସ୍ଥଳରେ ପ୍ରାୟ ୩୦ ମିନିଟ୍ ପରେ ପହଞ୍ଚିଥିଲା। ଯଦି ଆମ୍ବୁଲାନ୍ସ ରୋଗୀକୁ ଠିକ୍ ସମୟରେ ପହଞ୍ଚାଇଥାନ୍ତା ତେବେ ସେ ଡାକ୍ତରଖାନାରେ ପହଞ୍ଚିଥାନ୍ତେ ଏବଂ ବୋଧହୁଏ ତାଙ୍କର ଜୀବନ ବଞ୍ଚିଯାଇଥାନ୍ତା ବୋଲି ସେମାନେ ଅଭିଯୋଗ କରିଛନ୍ତି।
