ଆଦିବାସୀଙ୍କ ତିଳ ତର୍ପଣର ପାରମ୍ପାରିକ ପର୍ବ ଦାମୋଦର ଯାତ୍ରା ବାରିପଦା ବାରୁଣି ଘାଟରେ ପ୍ରବଳ ଜନସମାଗମ
ବାରିପଦା : ମକର ସଂକ୍ରାନ୍ତିର ଗୋଟିଏ ଦିନପରେ ଆଦିବାସୀଙ୍କ ଅବ୍ୟଏକ ପ୍ରାଚୀନ ପରମ୍ପରା ଦାମୋଦର ଯାତ୍ରା ପାଳିତ ହୋଇଥାଏ । ଏହି ପର୍ବରେ ଆଦିବାସୀ ସମ୍ପ୍ରଦାୟର ଲୋକେ ସାମୁହିକ ଭାବେ ତ୍ରିବେଣୀ ସଙ୍ଗମ ସ୍ଥଳରେ ପୁର୍ବ ପୁରୁଷଙ୍କ ଅସ୍ଥି ବିସର୍ଜନ କରିଥାନ୍ତି । ଆଦିବାସୀ ସମ୍ପ୍ରଦାୟର ଲୋକ ମାନେ ବର୍ଷ ତମାମ ମୃତ୍ୟୁବରଣ କରିଥିବା ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ ଏବଂ ତିଲତର୍ପଣ କରି ସେମାନଙ୍କର ମୁକ୍ତି କାମନା କରିବାର ଏହି ବହୁ ପୁରାତନ ପରମ୍ପରାକୁ ମୟୂରଭଂଜ ଜିଲ୍ଲାର ଆଦିବାସୀ ସମାଜ ବିଭିନ୍ନ ତ୍ରିବେଣୀ ସଂଗମ ସ୍ଥଳରେ ସାମୁହିକ ଭାବେ ପାଳନ କରିଥାନ୍ତି । ବାରିପଦା ବାରୁଣି ସ୍ଥିତ ଜରାଳୀ, ସରାଳୀ ଓ ବୁଢ଼ାବଳଙ୍ଗ ନଦୀର ମିଳନ ସ୍ଥଳ ତ୍ରିବେଣୀ ସଙ୍ଗମ ସ୍ଥଳରେ ଏହି ଦାମୋଦର ଯାତ୍ରା ବହୁ ପୁତାତନ କାଳରୁ ପାଳିତ ହୋଇ ଆସୁଥିବା ବେଳେ, ଚଳିତ ବର୍ଷ ମଧ୍ୟ ଏଠାରେ ଦାମୋଦର ଯାତ୍ରାରେ ପ୍ରବଳ ଗହଳି ଲାଗିଥିବାର ଦେଖା ଯାଇଛି । ତ୍ରିବେଣୀ ସଙ୍ଗମ ସ୍ଥଳ ଦାମୋଦର କ୍ଷେତ୍ରରେ ଏହି ପର୍ବ ୩ଦିନ ଧରି ଚାଲିବାକୁ ଥିବା ବେଳେ, ଏଠାରେ ମୟୂରଭଂଜ ଜିଲ୍ଲା ସହିତ ପଡ଼ୋଶୀ କେନ୍ଦୁଝର, ବାଲେଶ୍ୱର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟ ଗୁଡ଼ିକରୁ ଆଦିବାସୀ ସମ୍ପ୍ରଦାୟର ଲୋକ ସେମାନଙ୍କ ପରିବାରରେ ମୃତ ଆତ୍ମୀୟ ସ୍ୱଜନଙ୍କ ଅସ୍ଥି ବିସର୍ଜନ କରିବା ନିମନ୍ତେ ଆସିଛନ୍ତି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବାରିପଦା ପୌରପରିଷଦ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରସାଶନ ଦାମୋଦର ମେଳା କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଅସ୍ଥି ବିସର୍ଜନସ୍ଥଳୀକୁ ଅସ୍ଥାୟୀ ରାସ୍ତା ନିର୍ମାଣ, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଅସ୍ଥାୟୀ ଫାଣ୍ଡି, ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ସହିତ ନଦୀ ଉପରେ ଜନସାଧାରଣଙ୍କ ଯାତାୟାତ ନିମନ୍ତେ ନଦୀ ମଧ୍ୟରେ ଏକ ଅସ୍ଥାୟୀ ପୋଲର ବ୍ୟବସ୍ଥା କରିଛନ୍ତି । ସେହିପରି ନଦୀପଠାକୁ ଯାତାୟାତ ନିମନ୍ତେ ରହିଥିବା ମୁଖ୍ୟରାସ୍ତାକୁ ଭଲ ଭାବରେ ପରିଷ୍କାର କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନ୍ତାଳ ସମ୍ପ୍ରଦାୟର ଦାମୋଦର ଯାତ୍ରା ନିମନ୍ତେ ସ୍ଥାୟୀ ଦାମୋଦର ଘାଟ ନିର୍ମାଣ, ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ଓ ଜବରଦଖଲ କାରୀଙ୍କ କବଳରେ ରହିଥିବା ସରକାରୀ ଜମିକୁ ନିଜ ଦଖଲକୁ ଆଣି ସାରିଥିଲେ ମଧ୍ୟ ଏହି ପରମ୍ପରା ପ୍ରତି ପ୍ରଶାସନ ଅଧିକ ଦୃଷ୍ଟି ଦେବା ସହିତ ଏହି ଆଦିବାସୀ ସମ୍ପ୍ରଦାୟର ଯାତ୍ରାକୁ ସୁରକ୍ଷିତ କରି ରଖିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ଅସ୍ଥି ବିସର୍ଜନ ପାଇଁ ଆସିଥିବା ଶାଗୁନ କୁମାର ସୋରେନ, ସୁଧୀର ମୁର୍ମୁ, କୁଆଁର ମାରାଣ୍ଡି ପ୍ରମୁଖ ଦାବୀ କରିଛନ୍ତି ।
