ଭାରତୀୟ ପୁରୁଷ ହକି ଦଳର ନୂଆ କୋଚ୍ କ୍ରେଗ ଫୁଲଟନ
ନୂଆଦିଲ୍ଲୀ : ଭାରତୀୟ ପୁରୁଷ ହକି ଟିମ ପାଇଁ ନୂଆ କୋଚଙ୍କ ନାଁ ଘୋଷଣା କରିଛି ହକି ଇଣ୍ଡିଆ । ଦକ୍ଷିଣ ଆଫ୍ରିକାର କ୍ରେଗ ଫୁଲଟନ ଭାରତୀୟ ପୁରୁଷ ହକି ଦଳର ନୂଆ କୋଚ ହେବେ । ୪୮ ବର୍ଷୀୟ କୋଚଙ୍କ ଆଗରେ ଭାରତୀୟ ଟିମକୁ ଏକଜୁଟ କରିବା ବଡ଼ ଚ୍ୟାଲେଞ୍ଜ ରହିବ । ଗ୍ରାହାମ ରିଡଙ୍କ ସ୍ଥାନ ନେବେ ଫୁଲଟନ ।
ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯାଇଥିବା ହକି ବିଶ୍ଵକପରେ ନିରାଶାଜନକ ପ୍ରଦର୍ଶନ ପରେ ରିଡ୍ ଭାରତୀୟ ହକି ଦଳର କୋଚ୍ ପଦରୁ ଇସ୍ତଫା ଦେଇଥିଲେ। ନୂଆ କୋଚ୍ କ୍ରେଗ ଫୁଲଟନ ଟୋକିଓ ଅଲିମ୍ପିକ୍ସ ହକିରେ ଚାମ୍ପିଅନ ହୋଇଥିବା ବେଲଜିୟମ ଦଳର ସହାୟକ କୋଚ ଥିଲେ।
ଏଫଆଇଏଚ ହକି ପ୍ରୋ ଲିଗ୍ ରେ ଘରୋଇ ମ୍ୟାଚ ପୂର୍ବରୁ ହକି ଇଣ୍ଡିଆ ପକ୍ଷରୁ କ୍ରେଗ ଫୁଲଟନଙ୍କୁ ଭାରତୀୟ ଦଳର କୋଚ୍ ଭାବେ ଘୋଷଣା କରାଯାଇଛି । ୪୮ ବର୍ଷିୟ ଫୁଲଟନଙ୍କ ହକି କୋଚିଂରେ ୨୫ ବର୍ଷର ଅଭିଜ୍ଞତା ରହିଛି। ୨୦୧୪ରୁ ୨୦୧୮ ଯାଏଁ ଫୁଲଟନ ଆୟର୍ଲାଣ୍ଡ ପୁରୁଷ ହକି ଟିମ୍ ର ମୁଖ୍ୟ କୋଚ ରହିଥିଲେ । ତାଙ୍କ ପ୍ରଶିକ୍ଷଣରେ ଆୟର୍ଲାଣ୍ଡ ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲା । ୨୦୧୫ରେ ତାଙ୍କୁ ଏଫଆଇଏଚ ସର୍ବଶ୍ରେଷ୍ଠ କୋଚ୍ ଭାବେ ଘୋଷଣା କରିଥିଲା । ଖେଳାଳି ଭାବେ ଫୁଲଟନ ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୯୫ଟି ଆନ୍ତର୍ଜାତିକ ମ୍ୟାଚ ଖେଳିଛନ୍ତି। ୧୯୯୬ ଓ ୨୦୦୪ ଅଲିମ୍ପିକସ ଖେଳିଥିଲେ ଫୁଲଟନ୍ । ଏହାଛଡା ସେ ବିଶ୍ୱକପ ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ଦକ୍ଷିଣ ଆଫ୍ରିକା ପାଇଁ ଖେଳିଛନ୍ତି। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଭାରତୀୟ ପୁରୁଷ ହକି ଦଳର ନୂଆ କୋଚ ଭାବେ ଫୁଲଟନଙ୍କ ନିଯୁକ୍ତିକୁ ସ୍ୱାଗତ କରିଛନ୍ତି।
କ୍ରେଗ ଫୁଲଟନଙ୍କ ପାଖରେ ପ୍ରଶିକ୍ଷଣର ୨୫ ବର୍ଷର ଅଭିଜ୍ଞତା ରହିଛି । ନିଯୁକ୍ତି ପରେ ସେ ଖୁବଶୀଘ୍ର ଟିମ ସହ ଯୋଡି ହେବେ । ନେତୃତ୍ୱରେ ବିଶ୍ୱାସ କରୁଥିବା ଫୁଲଟନଙ୍କ ନିଜର ପୁରୁଣା ଭୂମିକାରେ ଭଲ ପରିମାଣ ଦେଇଥିଲେ । ୨୦୧୪ରୁ ୨୦୧୮ ମଧ୍ୟରେ ତାଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । ସେହି ସମୟରେ ସେ ଆର୍ୟଲାଣ୍ଡର କୋଚ୍ ହୋଇଥିଲେ । ତାଙ୍କରି ପ୍ରଶିକ୍ଷଣ ସମୟରେ ଆର୍ୟଲାଣ୍ଡ ଟିମ ୨୦୧୬ରେ ଅଲିମ୍ପିକ ଖେଳ ପାଇଁ କ୍ୱାଲିଫାଏ କରିଥିଲା । ୧୦୦ ବର୍ଷରେ ପ୍ରଥମ ଥର ପାଇଁ ଆର୍ୟଲାଣ୍ଡ ଟିମ ଅଲିମ୍ପିକରେ ସାମିଲ ହୋଇଥିଲା । ଏହି ଐତିହାସିକ ଉପଲବ୍ଧି ପରେ ୨୦୧୫ରେ ତାଙ୍କୁ ଏଫଆଇଏଚ୍ କୋଚ୍ ଅଫ୍ ଦ ଇୟର ଘୋଷଣା କରାଯାଇଥିଲା । ଏହାପରେ ସେ ତତ୍କାଳୀନ ଅଲିମ୍ପିକ ଚାମ୍ପିୟନ ବେଲଜିୟମର ସହାୟକ କୋଚ୍ ଭାବେ କାମ କରିଥିଲେ । ସେହି ସମୟରେ ବେଲଜିୟମ ଟୋକିଓ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ବିଶ୍ୱ ହକିରେ ବେଲଜିୟମ ରାଷ୍ଟ୍ରୀୟ ଟିମର ଉନ୍ନତ ପ୍ରଦର୍ଶନରେ ଫୁଲଟନଙ୍କ ବଡ଼ ଯୋଗଦାନ ରହିଛି । ଫୁଲଟନ ନିଜ ହକି କ୍ୟାରିୟରରେ ଦକ୍ଷିଣ ଆଫ୍ରିକା ଟିମ ପାଇଁ ୧୦ ବର୍ଷରେ ୧୯୫ ମ୍ୟାଚ୍ ଖେଳିଛନ୍ତି ।
