କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ଼ ଷ୍ଟିଲ ପ୍ଲାଂଟ
ପୁଞ୍ଜି ନିବେଶ ହେବ ୧ ଲକ୍ଷ କୋଟି ଟଙ୍କା
ବାର୍ଷିକ ୨୪ ମେଟ୍ରିକ ଟନ୍ ଉତ୍ପାଦନ କ୍ଷମତା
୧୬ ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ନିକାସୀ ଅଧିକାରୀଙ୍କ ବୈଠକରେ ମୋଟ ୧,୦୨,୨୭୫ କୋଟି ଟଙ୍କା ପୁଞ୍ଜି ନିବେଶ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଠାରେ ଆର୍ସେଲର ମିତଲ ନିପନ ଷ୍ଟିଲ ଦ୍ୱାରା ପ୍ରସ୍ତାବିତ ସମନ୍ୱିତ ଷ୍ଟିଲ ପ୍ଲାଂଟକୁ ମଞ୍ଜୁରୀ ମିଳିଛି । ବାର୍ଷିକ ୨୪ ମେଟ୍ରିକ ଟନ୍ ଉତ୍ପାଦନ କ୍ଷମତା ରଖୁଥିବା ଏହି ପ୍ଲାଂଟ ୧୬ହଜାରରୁ ଊର୍ଦ୍ଧ୍ୱ ପ୍ରତ୍ୟକ୍ଷ ତଥା ପରୋକ୍ଷ ନିଯୁକ୍ତି ସୃଷ୍ଟି କରି ପାରିବ । ଘୋଷିତ ଏହି ବୃହତ ପ୍ରକଳ୍ପଟି ସମଗ୍ର ଦେଶରେ ସର୍ବବୃହତ ଇସ୍ପାତ କାରଖାନାର ମାନ୍ୟତା ହାସଲ କରିବ । କେନ୍ଦ୍ରାପଡ଼ାର ନିଜ ଉତ୍ପାଦନ କ୍ଷେତ୍ରରେ ଆର୍ସେଲର ମିତଲ ନିପନ ଷ୍ଟିଲ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ପରିବେଶ ଅନୁକୂଳ ଓ ବହୁବିଧ ବିଶେଷତା ସମ୍ପନ୍ନ ଇସ୍ପାତ ଉତ୍ପାଦନ କରିବ ।
ଏହି ପ୍ଲାଂଟ ବାର୍ଷିକ ୧୮.୭୫ ମେଟ୍ରିକ ଟନ୍ ସିମେଂଟ ଉତ୍ପାଦନ କରିବାର କ୍ଷମତା ପ୍ରାପ୍ତ ହେବ. ଯାହା କେବଳ ଏହି କାରଖାନାକୁ ଦେଶର ଅନ୍ୟତମ ସର୍ବବୃହତ ସିମେଂଟ କାରଖାନାରେ ପରିଣତ ହେବାର ଗୌରବ ପ୍ରଦାନ କରିବ ନାହିଁ ବରଂ ଅଂଚଳର ଭିତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ । ଇସ୍ପାତ କମ୍ପେ୍ଲକ୍ସ ସହିତ କମ୍ପାନି ଅନୁପ୍ରବାହ ପ୍ରକଳ୍ପ ପାର୍କ ପ୍ରକଳ୍ପ ପ୍ରତିଷ୍ଠା କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରିବ । କେନ୍ଦ୍ରାପଡ଼ାର ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ବିକଶିତ ଭିତିଭୂମି ସୁବିଧା ଗମନାଗମନ ସହ ଅଂଚଳର ସାମଗ୍ରିକ ବିକାଶରେ ବେଶ ସହାୟକ ହେବ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏହି କାରଖାନାରେ ଉତ୍ପାଦିତ ହେବାକୁ ଥିବା ଇସ୍ପାତ ବିଶ୍ୱ ମାନଚିତ୍ରରେ କେନ୍ଦ୍ରାପଡା ଓ ଓଡ଼ିଶାର ସ୍ଥାନକୁ ସ୍ୱତନ୍ତ୍ର କରି ପାରିବ । ଅନେକ ଆନ୍ତର୍ଜାତୀୟ ଉପକରଣ ଉତ୍ପାଦନକାରୀ ଏହି ବୃହତ ପ୍ରକଳ୍ପର ଅଂଶୀଦାର ହେବାକୁ ଥିବାରୁ ଏହା ରାଜ୍ୟରେ ଆହୁରି ଅନେକ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ । ଏହି ପ୍ରକଳ୍ପ ସହିତ ଆର୍ସେଲର ମିତଲ ନିପନ ଷ୍ଟିଲ ସମଗ୍ର ଅଂଚଳରେ ସାମାଜିକ ଓ ଅର୍ଥନୈତିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରିବ । ଏହି ବୃହତ ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ ୭ ବର୍ଷରେ ସମ୍ପୂର୍ଣ୍ଣ ହେବ । ଏହି ବୃହତ ପୁଞ୍ଜି ବିନିଯୋଗ ସହିତ ଓଡ଼ିଶା ବିଗତ ୧୨ ମାସ ମଧ୍ୟରେ ୨.୭୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ନିବେଶ ପ୍ରାପ୍ତ ହେବା ସହିତ ଅନ୍ୟୁନ ୭୭ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ କରିବାର ଉପଲବ୍ଧି ହାସଲ କରିଛି । ଓଡ଼ିଶା ସମଗ୍ର ଦେଶରେ ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ ହିସାବରେ ଗୌରବ ମଣ୍ଡନ କରୁଛି । ଏହି ପରି ବୃହତ ପ୍ରକଳ୍ପର ପ୍ରତିଷ୍ଠା ଦ୍ୱାରା ୨୦୩୦ ସୁଦ୍ଧା ରାଜ୍ୟ ବାର୍ଷିକ ୧୦୦ ମେଟ୍ରିକ ଟନ୍ ଇସ୍ପାତ ଉତ୍ପାଦନ କରିବାର କ୍ଷମତା ହାସଲ କରି ପାରିବ ।
କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ମେଗା ଷ୍ଟିଲ ପ୍ରକଳ୍ପ ପାଇଁ ଭିତିଭୂମି ବିକାଶ କରାଯିବ ଯାହାକି ଏହି ଅଂଚଳରେ ଲଜିଷ୍ଟିକ୍ ଓ ସାମଗ୍ରିକ ବିକାଶକୁ ମଧ୍ୟ ତ୍ୱରାନ୍ୱିତ କରିବ । ଏଠାରେ ଅତ୍ୟାଧୁନିକ, ଗ୍ରୀନ୍ ଓ ପରିବେଶ ଅନୁକୂଳ ଷ୍ଟିଲ ଉତ୍ପାଦନ ସୁବିଧା ଯୋଗୁ କେନ୍ଦ୍ରାପଡ଼ା ଓ ଓଡ଼ିଶାକୁ ବିଶ୍ୱର ଇସ୍ପାତ ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ମିଳିପାରିବ । ଏହି ନିବେଶ ମାଧ୍ୟମରେ ରାଜ୍ୟ ସରକାର ମଧ୍ୟ ସମଗ୍ର ଅଂଚଳର ସାମାଜିକ ଓ ଅର୍ଥନୀତିକ ବିକାଶକୁ ତ୍ୱରାନ୍ୱିତ କରାଇ ପାରିବେ । ଏହି ମେଗା ପ୍ରକଳ୍ପ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ୭ବର୍ଷ ମଧ୍ୟରେ ଶେଷ ହେବ । ଏହି ପ୍ରକଳ୍ପ ନିମନ୍ତେ ଆବଶ୍ୟକ ସୁବିଧା ଯଥା- ଲଜିଷ୍ଟିକ୍ ଭିତିଭୂମି, ବିଦ୍ୟୁତ, ଜଳ ଆଦି ସହ ସମସ୍ତ ବୈଧାନିକ କ୍ଲିଅରାନ୍ସକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ସରକାରୀ ଏଜେନ୍ସୀ ପ୍ରଦାନ କରିବେ । ଯାହାକୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଥିବା ଉଚ୍ଚସ୍ତରୀୟ କମିଟି ତଦାରଖ କରିବ । ଏହି ବିପୁଳ ପୁଞ୍ଜିନିବେଶ ସହ ଓଡ଼ିଶା ଗତ ବର୍ଷକ ମଧ୍ୟରେ ୨.୭୦ଲକ୍ଷ କୋଟି ଟଙ୍କାର ନିବେଶ ସଂଗ୍ରହ କରିପାରିଛି । ଯାହାକି ରାଜ୍ୟରେ ୧.୬ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଓଡ଼ିଶା ମଧ୍ୟ ଦେଶର ସର୍ବବୃହତ୍ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ ପାଲଟିଛି । ଏଭଳି ପ୍ରକଳ୍ପ ଦ୍ୱାରା ୨୦୩୦ ମସିହା ସୁଦ୍ଧା ରାଜ୍ୟରେ ବାର୍ଷିକ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ସମ୍ଭବପର ହେବ ।
