ରାଜଧାନୀରୁ ୭ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ, ୨ ଗିରଫ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ୭ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ ହୋଇଛି । ଜବତ ସମସ୍ତ ଜାଲ୍ ନୋଟ୍ ୨ ଶହ ଟଙ୍କିଆ । ଏହି ମାମଲାରେ କମିଶନରେଟ୍ ପୋଲିସ୍ ମାଷ୍ଟର କ୍ୟାଂଟିନ୍ ଛକରୁ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଗଞ୍ଜାମ ଜିଲ୍ଲାର ସତ୍ୟ ନାରାୟଣ ପୃଷ୍ଟି ଓ ଭୋଲା ପ୍ରଧାନ । ଲୋକଙ୍କୁ ଅସଲି ନୋଟ୍ ଏକ୍ସଚେଞ୍ଜ କରିବା ବଦଳରେ ସେମାନଙ୍କୁ ଏହି ଜାଲ ନୋଟ ଦେଉଥିଲେ । ଏପରି କରି ଜଣେ ବ୍ୟକ୍ତିଙ୍କଠାରୁ ୩ ଲକ୍ଷ ୭୫ ହଜାର ଓ ଆଉ ଜଣଙ୍କଠାରୁ ୧୨ ଲକ୍ଷ ଟଙ୍କା ଠକିଥିଲେ ।
ସୂଚନା ଯେ, ସତ୍ୟ ନାରାୟଣ କୋଚିଂ ସେଂଟର କରି ଚଳୁଥିବା ବେଳେ ଚାକିରି ନାଁରେ ଯୁବକଯୁବତୀଙ୍କୁ ଠକୁଥିଲେ । କିଛି ଦିନ ପୂର୍ବେ ସେ ଭୁଲା ପ୍ରଧାନ ନାମକ ଯୁବକର ସଂସ୍ପର୍ଶରେ ଆସିଥିଲେ । ଭୁଲା ଆନ୍ଧ୍ରପ୍ରଦେଶରେ ରହି ଜାଲ ନୋଟ କରିବା କିଛି କିଛି ଶିଖିଥିଲା । ଏହାପରେ ୟୁଟ୍ୟୁବ, ଗୁଗଲରୁ ଆହୁରି ଅଧିକ ଶିଖିଥିଲା । ଏହାପରେ ଉଭୟ ସତ୍ୟ ନାରାୟଣ ଓ ଭୁଲା ଜାଲ ନୋଟ କାରବାର କରିବାକୁ ପ୍ଲାନ୍ କରିଥିଲେ । ସେମାନେ ପ୍ରିଂଟର, କଲର, ପେପର ଆଜି ସରଞ୍ଜାମ କିଣି ଜାଲ ନୋଟ ଛାପିଲେ । ପ୍ରଥମେ ୨ ଶହ ଟଙ୍କିଆ ନୋଟ ଛାପୁଥିବା ବେଳେ କିଛି ଦିନ ପରେ ୫ ଶହ ଓ ୨ ହଜାର ଟଙ୍କିଆ ନୋଟ ଛାପିବାକୁ ଯୋଜନା କରିଥିଲେ । ବୁଧବାର ଦିନ ଖବର ପାଇ ଖାରବେଳନଗର ଥାନା ପୋଲିସ୍ ଉଭୟଙ୍କୁ ଧରିଥିବା ବେଳେ ସେମାନଙ୍କ ନିକଟରୁ ୭ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି । ପ୍ରଥମେ ଚାକିରିର ପ୍ରଲୋଭନ ଦେଖାଇ ସେମାନଙ୍କଠାରୁ ଟଙ୍କା ହଡ଼ପ କରୁଥିଲେ । ଏହାପରେ ୫ ଶହ ଟଙ୍କା, ୨ ହଜାର ଟଙ୍କିଆ ଏକ୍ସଚେଞ୍ଜ କରି ନୂଆ ୨ ଶହ ଟଙ୍କିଆ ଦେବେ ବୋଲି କହି ବିପୁଳ ପରିମାଣର ଜାଲ ନୋଟ ଦେଇ ଅସଲି ନୋଟ ହାତଉଥିଲେ । ପୋଲିସ୍ ନକଲି ନୋଟ ସହ ଗଞ୍ଜାମର ଜରଡ଼ା ଓ ବିଶାଖାପାଟଣାରେ ଥିବା ନକଲି ନୋଟ ତିଆରି ମେସିନ ଓ ଅନ୍ୟ ସରଞ୍ଜାମ ଜବତ କରିଛି ।
