ନକଲି ଔଷଧ କାରବାର ମାମଲା : ଜେଲ୍ ଗଲେ ୨ ଡିଲର୍
ଭୁବନେଶ୍ୱର : କଟକରେ ନକଲି ଔଷଧ କାରବାର ମାମଲାରେ ଗିରଫ ଦୁଇ ଅଭିଯୁକ୍ତ ଜେଲ୍ ଯାଇଛନ୍ତି । ମଙ୍ଗଳବାର ଦିନ ଦୁଇ ଅଭିଯୁକ୍ତ ଭିଆର ଡ୍ରଗ୍ସର ମାଲିକ ରାହୁଲ କ୍ୟାଲ ଓ ପୂଜା ଏଂଟରପ୍ରାଇଜେସ୍ ମାଲିକ ସଞ୍ଜୟ ଜଲାନଙ୍କୁ କଟକ ଏସଡିଜେଏମ କୋର୍ଟରେ ହାଜର କରାଇଥିଲା କଟକ ପୁରୀଘାଟ ଥାନା ପୋଲିସ୍ । ଉଭୟ ଜାମିନ ପାଇଁ ଆବେଦନ କରିଥିବା ବେଳେ କୋର୍ଟ ଏହାକୁ ଖାରଜ କରିଛନ୍ତି । ଏହାପରେ ଉଭୟଙ୍କୁ ୧୪ ଦିନ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି । ଜାମିନ ଆବେଦନ ଖାରଜ ପରେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ରାହୁଲ କ୍ୟାଲ ଓ ସଞ୍ଜୟ ଜଲାନଙ୍କ ଓକିଲ ପାର୍ଥ ସାରଥି ନାୟକ ।
ସୂଚନାଯୋଗ୍ୟ ଯେ ଡ୍ରଗ୍ସ କେଂଟ୍ରାଲରର ଚଢାଉ ବେଳେ କଟକରେ ବିପୁଳ ପରିମାଣର ନକଲି ଔଷଧ ବିକ୍ରି ହୋଇଥିବା ଜଣାପଡିଥିଲା । ଉଭୟ ରାହୁଲ ଓ ସଂଜୟଙ୍କ ନାଁରେ ଅଭିଯୋଗ ଆସିଥିଲା । ଗତକାଲି ସେମାନେ ଥାନାରେ ଆତ୍ମସମର୍ପଣ କରିବା ପରେ ପୋଲିସ୍ ସେମାନଙ୍କୁ ଗିରଫ କରିଥିଲା । କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ଅଭିଯୁକ୍ତଙ୍କୁ ଜେରା ପରେ ଆମେ ଗିରଫ କରିଛୁୁ । ଜେରା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଏମାନେ ବିହାର ଓ ବେଙ୍ଗାଲୁରରୁ ଏହି ନକଲି ଔଷଧ ଆଣୁଥିଲେ । ଏହି ତଥ୍ୟକୁ ନେଇ ଆମେ ଆଗକୁ ତଦନ୍ତ କରିବୁ । ଉଭୟ ଗିରଫ ଅଭିଯୁକ୍ତଙ୍କୁ ଆମେ ରିମାଣ୍ଡରେ ଆଣିବୁ ।ରାଜ୍ୟ ବାହାରକୁ ମଧ୍ୟ ପୋଲିସ ଟିମ ଯାଇ ତଦନ୍ତ କରିବ । ଏମାନଙ୍କଠାରୁ ଯେଉଁମାନେ ଔଷଧ ନେଉଥିଲେ ସେମାନେ ବି ତଦନ୍ତ ପରିସରଭୁକ୍ତ ହେବେ ।
