ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ଦାବିରେ ରାସ୍ତାରୋକ ପ୍ରଧାନ ଶିକ୍ଷୟତ୍ରୀଙ୍କ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷୟିତ୍ରୀ
ବାରିପଦା : ମୟୂରଭଂଜ ଜିଲ୍ଲା ଶ୍ୟାମାଖୁଂଟା ବ୍ଲକର ପାଇକବସା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ଦାବିରେ ଅଭିଭାବକ ମାନେ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆଜି ବାରିପଦା ଉଦଳା ରାସ୍ତାର କରଂଜିଆ ଛକ ଠାରେ ରାସ୍ତାରୋକ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀଙ୍କ ବାରମ୍ବାର ଦୁର୍ବ୍ୟବହାର ଅଭିଯୋଗ କରି ଅଭିଭାବକ ଓ ଛାତ୍ରୀ ମାନେ ପ୍ରତିବାଦ କରିଥିଲେ । ଅଭିଯୋଗ ଅନୁଯାୟୀ, ଜିଲ୍ଲାର ଶ୍ୟାମାଖୁଂଟା ବ୍ଲକ ଅନ୍ତର୍ଗତ ପାଇକବସା ସ୍ଥିତ କେଜିବିଭି ଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ମାନେ ନିକଟସ୍ଥ ହରିଶ୍ଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥାନ୍ତି । କିନ୍ତୁ ସମସ୍ତେ ପାଇକବସା ସ୍ଥିତ କେଜିବିଭି ହଷ୍ଟେଲରେ ରୁହନ୍ତି । ଉକ୍ତ କେଜିବିଭିର ପ୍ରଧାନ ଶିକ୍ଷୟତ୍ରୀ ମାନସି ସେଠୀ ଛାତ୍ରୀଙ୍କୁ ବହୁ ସମୟରେ ଦୁର୍ବ୍ୟବହାର କରିଥାନ୍ତି । ସରସ୍ୱତୀ ପୂଜା ଦିନ ହରିଶ୍ଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ପୂଜା ପାଇଁ ବିଦ୍ୟାଳୟ ଯିବାକୁ ପ୍ରଧାନ ଶିକ୍ଷୟତ୍ରୀ ମାନସି ସେଠି ମନା କରିଥିଲେ । ଯଦି ଯିବ ବିଦ୍ୟାଳୟରୁ ବାହାର କରିଦିଆଯିବ ବୋଲି କହିଥିଲେ । ତେବେ ଏହାପରେ ଛାତ୍ରୀ ମାନେ ହଷ୍ଟେଲକୁ ଫେରିଥିବା ବେଳେ ତାଙ୍କ ଖାଇବାକୁ ଦିଆଯାଇ ନଥିବା ଲୁଗା ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ଅନ୍ୟତ୍ର ରଖି ଦେଇଥିଲେ । ଏନେଇ ଅଭିଭାବକ ମାନେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପଚାରିବାରୁ ଯୁକ୍ତିତର୍କ ହୋଇଥିଲା । ତେବେ ବାରମ୍ବାର ଏହିପରି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ଦୁର୍ବ୍ୟବହାର କରୁ ଥିବାର ଅଭିଯୋଗ ଆଣି ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ଦାବୀରେ ଅଭିଭାବକ ଏବଂ ଗ୍ରାମବାସୀ ମାନେ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବାରିପଦା ଉଦଳା ରାସ୍ତାର କରଂଜିଆ ଛକ ଠାରେ ରାସ୍ତାରୋକ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ବାରିପଦା ସଦର ଥାନା ପୋଲିସ ପହଂଚି ବୁଝାସୁଝା କରିବା ସତ୍ୱେ ବିକ୍ଷୋଭକାରୀ ନିଜ ଜିଦରେ ଅଟଳ ଥିବା ବେଳେ, ଶେଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଲୋକଙ୍କ ଦାବୀ ବାବଦରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ତେବେ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିଶୃତି ପରେ ଉତ୍ୟକ୍ତ ଲୋକେ ରାସ୍ତଆବରୋଧରୁ ହଟିଥିଲେ । ପ୍ରତିଶୃତି ମୁତାବକ ବିବାଦୀୟ ଶିକ୍ଷୟିତ୍ରୀଙ୍କୁ ସେହି ବିଦ୍ୟାଳୟରୁ ବଦଳି କରାଯାଇଥିବାର ଜଣାଯାଇଛି । ତେବେ ଉକ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ମାନସି ସେଠି, ନିକଟସ୍ଥ ଏକ ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କ ପ୍ରରୋଚନାରେ ଆସି ଅଭିଭାବକ ଗଣ ସେମାନଙ୍କ ପିଲାଙ୍କୁ ଧରି ଏପରି ମିଥ୍ୟା ଅଭିଯୋଗ କରୁଛନ୍ତି ବୋଲି ସେ କହିଛନ୍ତି ।
