ହୋଇପାରୁନି ଡିଭାଇଡର ନିର୍ମାଣ, ବଢୁଛି ଟ୍ରାଫିକ ସମସ୍ଯା, ଅର୍ଥ ମଂଜୁର ହୋଇଥିବା ବାଇପାସ୍ ରାସ୍ତା ନିର୍ମାଣ ପରେ ହେବ ଡିଭାଇଡର – ବିଧାୟକ
ନୟାଗଡ : ଦଶପଲ୍ଲାରେ ଜନସଂଖ୍ୟା ଯେଉଁ ଅନୁପାତରେ ବଢୁଛି ତଦନୁସାରେ ଗାଡ଼ିମୋଟର ସଂଖ୍ୟା ବଢି ଚାଲିଛି l ଗୋଟିଏ ପଟେ ଯାନବାହାନ ସଂଖ୍ୟା ବୃଦ୍ଧି, ଅନ୍ୟପଟେ ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ସ୍ଥାୟୀ ଅସ୍ଥାୟୀ ଦୋକାନ ବଜାର ସଂଖ୍ୟା ବଢୁଥିବା ବେଳେ ରାସ୍ତା କଡରେ ଛୋଟ ବଡ଼ ଗାଡି ପାର୍କିଂ କରିବା ଯୋଗୁଁ ଟ୍ରାଫିକ ସମସ୍ଯା ଦିନକୁଦିନ ବଢି ଚାଲିଛି l ଯାହା ଫଳରେ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟିବାରେ ଲାଗିଛି l ଡିଭାଇଡର ନିର୍ମାଣ କରି ଟ୍ରାଫିକ ସମସ୍ଯା ନିୟନ୍ତ୍ରଣ ପାଇଁ ଘୋଷଣା ଓ ବ୍ୟବସ୍ଥା କେଉଁଠି ଓ କାହିଁକି ଅଟକିଗଲା ତାର ଉତ୍ତର ଏବେ ଖୋଜା ଚାଲିଛି l ଡିଭାଇଡର ନିର୍ମାଣ ହେଲେ ଗାଡ଼ି ପାର୍କିଂ ବ୍ୟବସ୍ଥାରେ ଅନେକ ସୁଧାର ଆସି ପାରନ୍ତା ଏପରିକି ରାସ୍ତା କଡରୁ ଗାଡ଼ି ଆହୁରି ଦୂରକୁ ଯାଇ ପାର୍କିଂ କରିବାର ସୁବିଧା ଉପଲବ୍ଧ ହୋଇପାରନ୍ତା l ସୁଚନା ଯୋଗ୍ୟ ଯେ, ଦଶପଲ୍ଲା ବିଧାୟକ ଏଥିନେଇ ବିଧାନସଭାରେ ପ୍ରଶ୍ନ ଉଠାଇବା ସହିତ ଜାତୀୟ ରାଜପଥ ବିଭାଗ ଓ ଦଶପଲ୍ଲା ଏନଏସି କର୍ତ୍ତୃପକ୍ଷ ମିଳିତ ଭାବେ ଏଥି ନେଇ ନିର୍ମାଣ ହେବାକୁ ଥିବା ଅଂଚଳ ପରିଦର୍ଶନ କରିଥିଲେ l ହେଲେ ଫଳ କଣ ହେଲା କାହାକୁ ଜଣା ନାହିଁ l ଗୋଟିଏ ପଟେ ଜାତୀୟ ରାଜପଥ ବାଇପାସ୍ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ପାରୁ ନ ଥିବା ବେଳେ ଅନ୍ୟ ପଟେ ଡିଭାଇଡର ନିର୍ମାଣର ସାଂପ୍ରତିକ ସ୍ଥିତି କଣ ତାହା ସନ୍ଦେହ ଘେରରେ ରହିଛି l ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିନେଇ ଠୋସ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଟ୍ରାଫିକ ସମସ୍ଯା ସାଂଗକୁ ଦୁର୍ଘଟଣା ବଢିବା ଆଶଂକା କୁ ସହଜେ ଏଡ଼ାଇ ଦିଆଯାଇ ନ ପାରେ l ଏ ସମ୍ପର୍କରେ ଆମ ପ୍ରତିନିଧି ଦଶପଲ୍ଲା ବିଧାୟକ ରମେଶଚନ୍ଦ୍ର ବେହେରାଂକ ମତାମତ ନେବାରେ ସେ ଡିଭାଇଡର ନିର୍ମାଣ ହେବ, ମାତ୍ର ଅର୍ଥ ମଂଜୁର ହୋଇଥିବା ବାଇପାସ୍ ରାସ୍ତା ନିର୍ମାଣ ପରେ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
