ଏନଜିଟିର ରିପୋର୍ଟକୁ ଆଧାର କରି ବାଲେଶ୍ୱର ଜିଲାପାଳଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ସତ୍ୟପ୍ରକାଶ
ବାଲେଶ୍ୱର : ବାଲେଶ୍ୱର ଜିଲାପାଳଙ୍କ ଜାଣତରେ ବାଲିମାଫିଆମାନେ ସୁବର୍ଣ୍ଣରେଖା ନଦୀର ବାଲି ସୈରାତରୁ ପ୍ରତିଦିନ ଶହଶହ ହାଇୱାରେ ବାଲି ଚୋରାଚାଲାଣ କରୁଛନ୍ତି । ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମିଡ଼ିଆ ସେଲ୍ ମୁଖ୍ୟ ମୁଖପାତ୍ର ସତ୍ୟପ୍ରକାଶ ନାୟକ ।
ଜିଲା କଂଗ୍ରେସ ଭବନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଶ୍ରୀ ନାୟକ ଦର୍ଶାଇଛନ୍ତି କି ଗତ ୮ ତାରିଖରେ ଜାତୀୟ ପରିବେଶ ଟ୍ରିବ୍ୟୁନାଲ ଦେଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଅବ୍ଜର୍ଭେସନରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସୁବର୍ଣ୍ଣରେଖା ନଦୀର ବାଲି ସୈରାତ ନିଲାମ ନେଇ ଦେଇଥିବା ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ସମ୍ପୂର୍ଣ୍ଣ ଜାଲ୍ ଅଟେ । ଜାତୀୟ ପରିବେଶ ଟ୍ରିବ୍ୟୁନାଲ ତାଙ୍କ ଅବ୍ଜର୍ଭେସନରେ ଯାହା ଉଲ୍ଲେଖ କରିଛନ୍ତି ତା’ ଉପରେ ଶ୍ରୀ ନାୟକ ଦର୍ଶାଇଛନ୍ତି କି, ଡିଷ୍ଟ୍ରିକ୍ଟ ସର୍ଭେ ରିପୋର୍ଟ ଜିଲାପାଳ ସରକାରଙ୍କ ଗାଇଡ୍ଲାଇନ୍ ମୁତାବକ ପ୍ରସ୍ତୁତ ନକରି ଏକ ଘରୋଇ ସଂସ୍ଥାର ରିପୋର୍ଟକୁ ଆଧାର କରି ବେଆଇନ ଭାବେ ବାଲିଖାଦାନ ନିଲାମ ଦେଇଛନ୍ତି । ଉକ୍ତ ସୈରାତରୁ ପ୍ରତିଦିନ ଦୁଇଟ୍ରିପ୍ ଟ୍ରାକ୍ଟରରେ ବାଲି ଉତେ୍ତାଳନ ଓ ପରିବହନ ପାଇଁ ଗାଇଡ୍ଲାଇନ୍ ରହିଥିବା ବେଳେ ଉକ୍ତ ସୈରାତରୁ ପ୍ରତିଦିନ ଶହଶହ ହାଇୱାରେ ବାଲି ଚାଲାଣ ହେଉଛି । ତେବେ ଜିଲାପାଳଙ୍କ ପଛରେ ଶାସକ ବିଜୁ ଜନତା ଦଳର ବଡ଼ପଣ୍ଡାମାନେ ରହିଥିବାରୁ ରାଜ୍ୟ ସରକାର, ମୁଖ୍ୟ ଶାସକ ସଚିବ ପ୍ରମୁଖ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି । ଜଳେଶ୍ୱରରେ ଥିବା ବାଲିମାଫିଆଙ୍କ ଅସାଧୁ ମେଣ୍ଟ ବା ସିଣ୍ଡିକେଟ୍ ଆୟ କରୁଥିବା ଅର୍ଥର ଏକ ସିଂହଭାଗ ଶାସକ ଦଳ ପାଖକୁ ପଠାଉଥିବା ଶ୍ରୀ ନାୟକ ଅଭିଯୋଗ କରିଛନ୍ତି । ଅତୀତରେ ଶାସକଦଳର ନେତାମାନେ ଲୁହାପଥର, ମାଙ୍ଗାନିଜ୍ ଓ କ୍ରୋମାଇଟ୍ ଖଣି ଲୁଟ୍ କରି ପ୍ରାୟ ୨୨ ହଜାର କୋଟି ଟଙ୍କାର ରାଜସ୍ୱ ହାନୀ କରିଥିବା ସାହା କମିଶନ ରିପୋର୍ଟ ଦେବାପରେ ଶାସକଦଳ ଏବେ ମାଟି, ପାଣି, ସମତେ ଅନ୍ୟାନ୍ୟ ଲଘୁ ବନଜାତ ଦ୍ରବ୍ୟ ଓ ବାଲି ଉପରେ ଲୋଲୁପ ଦୃଷ୍ଟି ପକାଇଛି । କେବଳ ସୁବର୍ଣ୍ଣରେଖା ନୁହେଁ ବରଂ ରାଜ୍ୟର ୧୨ଟି ନଦୀର ସୈରାତରୁ ଏଭଳି ବାଲି ଲୁଟ୍ ଚାଲିଛି । ବେଣାପୁର ସୈରାତରୁ ଏତେ ପରିମାଣର ବାଲି ଲୁଟ୍ ହେଉଥିଲେ ମଧ୍ୟ ପୋଲିସ୍, ତହସିଲଦାର, ଉପଜିଲାପାଳ, ରାଜସ୍ୱ ଅଧିକାରୀ କିମ୍ବା ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକ ଏ ସମ୍ପର୍କରେ ତଦନ୍ତ କରୁନାହାନ୍ତି କିମ୍ବା ଗୋଟିଏ ହେଲେ ଟ୍ରିପ୍ ବାଲି ଜବତ ଅଦ୍ୟାବଧି ହୋଇନାହିଁ । ରାଜ୍ୟ ସରକାର ଡିଷ୍ଟ୍ରିକ୍ଟ ସର୍ଭେ ରିପୋର୍ଟ (ଡିଏସ୍ଆର୍) ପ୍ରସ୍ତୁତ ପୂର୍ବରୁ ରାଜ୍ୟସ୍ତରରେ ଥିବା ବିଭିନ୍ନ ନୋଡ଼ାଲ ଏଜେନ୍ସି ଓ ଲାଇନ୍ ଅଫିସର ପଦାଧିକାରୀମାନଙ୍କୁ ନେଇ ଏକ କମିଟି ମାଧ୍ୟମରେ ସୈରାତ ନିଲାମ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରିବା କଥା । ମାତ୍ର ଜିଲାପାଳ ଏ ଦିଗରେ ପଦକ୍ଷେପ ନେଇ ନାହାନ୍ତି । ବରଂ ଏନଜିଟି ଅଦାଲତଙ୍କ ମତରେ ଜିଲାପାଳ ନିଜେ ଜାଲ ଡିଏସଆର ଉପସ୍ଥାପନ କରି ଅଦାଲତ ଓ ସରକାରଙ୍କୁ ଭୂଆଁ ବୁଲାଇଛନ୍ତି । ତେଣୁ ଜିଲାପାଳ ଶ୍ରୀ ଚକ୍ରବର୍ତୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ସହ ଏ ବାବଦରେ ଲାଭାଂଶ ପାଇଥିବା ପ୍ରଶାସନିକ ଅଧିକାରୀ ଏବଂ ବାଲିମାଫିଆ ତଥା ଏଥିରେ ଜଡ଼ିତ ଅପରାଧୀମାନଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ଆଇନ୍ ମୁତାବକ ପଦକ୍ଷେପ ନେବାକୁ ଶ୍ରୀ ନାୟକ ଦାବି କରିଛନ୍ତି । ଏହା ପୂର୍ବରୁ ସରକାର ତୁରନ୍ତ ସାକ୍ଷ୍ୟ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରୁଥିବା ଜିଲାପାଳଙ୍କୁ ବାଲେଶ୍ୱର ଜିଲାରୁ ଅନ୍ୟତ୍ର ବଦଳି କରିବାକୁ ଶ୍ରୀ ନାୟକ ଦାବି କରିଛନ୍ତି । ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ଼, ଜଳସମ୍ପଦ ବିଭାଗ ଏବଂ ରାଜସ୍ୱ ବିଭାଗର ବିନା ଅନୁମତିରେ ଜିଲାପାଳ ନିୟମକୁ କେମିତି ଭାଙ୍ଗିଲେ ଓ ହାୟ ଲେବୁଲ ଟାକ୍ସ ଫୋର୍ସ ମାଧ୍ୟମରେ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ଆୟୋଜିତ ଖବରଦାତା ସମ୍ମିଳନୀରେ କଂଗ୍ରେସ ଜିଲା ସଭାପତି ସଞ୍ଜିବ ଗିରି, ଜିଲା ଉପସଭାପତି ଗୋପୀନାଥ ପାଢ଼ୀ, ସମ୍ପାଦକ ପଶୁପତି ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ରହିଥିଲେ ।
