ପୁଣି ବଢ଼ିଲା ଚିନ୍ତା ! ସତର୍କତା ଜାରି କଲେ ଡବ୍ଲୁଏଚଓ, ପିଲାଙ୍କ ଯକୃତକୁ ଟାର୍ଗେଟ କରୁଛି ଆଡେନୋ ଭାଇରସ
ଜେନେଭା : ପୁଣି ବଢ଼ିଲା ଚିନ୍ତା । ସତର୍କତା ଜାରି କଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) । ବିଶ୍ୱରେ ବ୍ୟାପୁଥିବା କରୋନା ଭାଇରସ ମହାମାରୀରୁ ମୁକ୍ତି ମିଳି ନଥିବା ବେଳେ ପୁଣି ଏକ ନୂଆ ରୋଗ ପାଲଟିଛି ଚିନ୍ତାର କାରଣ। କେତେକ ଦେଶରେ ଏବେ ପିଲାଙ୍କଠାରେ ଆକ୍ୟୁଟ୍ ହେପାଟାଇଟିସ୍ ଲକ୍ଷଣ ଦେଖା ଯାଉଛି। ଏହି ରୋଗ ବ୍ୟାପିବା ଦିନରୁ ଏ ପର୍ଯ୍ୟନ୍ତ ୧୨ରୁ ଅଧିକ ପିଲାଙ୍କ ମୃତ୍ୟୁର କାରଣ ହେଲାଣି। ତେବେ ରୋଗର ବାସ୍ତବ କାରଣ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ ବୋଲି ଡବ୍ଲୁଏଚଓ କହିଛନ୍ତି।
ତେବେ ବିଶେଷଜ୍ଞ ଭାଇରସଙ୍କ ପୁରା ରେଞ୍ଜରୁ ଗୋଟିଏ ଏଡିନୋ ଭାଇରସକୁ ଚିହ୍ନଟ କରିଥିବା ବେଳେ ଏବେ ଏହାର ଅଧ୍ୟୟନ ଜାରି ରହିଛି। ଏହି ଭୂତାଣୁ ସାଧାରଣ ସର୍ଦ୍ଦିରୁ ଆରମ୍ଭ କରି ଅନେକ ରୋଗର କାରଣ ହେଉଛି। ଏଥିରେ କେତେକ ମାମଲାରେ ପିଲାଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ମଧ୍ୟ ଜରୁରୀ ହୋଇପଡୁଛି। ବର୍ତ୍ତମାନ ବ୍ରିଟେନ, ଉତ୍ତର ଆୟର୍ଲାଣ୍ଡ, ନେଦରଲ୍ୟାଣ୍ଡ,ସ୍ପେନ, ଇଜ୍ରଏଲ, ଆମେରିକା, ଇଟାଲୀ, ନରୱେ, ଫ୍ରାନ୍ସ, ରୋମାନିଆ ଓ ବେଲଜିୟମରେ ଏହି ମାମଲା ସବୁ ସାମ୍ନାକୁ ଆସିଛି।
ଏବେ ରୋଗର କାରଣ ଜଣାପଡି ନାହିଁ। ତେବେ ବିଶେଷଜ୍ଞ ଏଡେନୋ ଭାଇରସ ସଂକ୍ରମଣ ସମେତ ଅନ୍ୟ ସମ୍ଭାବିତ ଭୂତାଣୁ ସଂକ୍ରମଣର ଯାଞ୍ଚ କରୁଛନ୍ତି। ତେବେ ଡବ୍ଲୁଏଚଓ ଏକ ବୟାନରେ ସମ୍ଭବତଃ ଗୁରୁତର ହେପାଟାଇଟିସ୍ ଏଡେନୋଭାଇରସ ସଂକ୍ରମଣର କାରଣ ହୋଇଥାଇପାରେ ବୋଲି କହିଛନ୍ତି। ତେବେ ଆମେରିକା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (ସିଡିସି) ଏଡେନୋ ଭାଇରସକୁ ଏକ ସାଧାରଣ ଭୂତାଣୁ ବୋଲି କହିଛନ୍ତି। ଯେଉଁଗୁଡିକ ବିଭିନ୍ନ ପ୍ରକାର ରୋଗ ବେମାରୀର କାରଣ ପାଲଟି ପାରନ୍ତି।
ଅକ୍ଟୋବର ୨୦୨୧ରେ ଆମେରିକା ଆଲବାମାରେ ପ୍ରଥମେ ଏହି ରୋଗୀ ଚିହ୍ନଟ ହୋଇଥିଲେ। ଯେଉଁଥିରେ ପିଲାଙ୍କୁ ସେମାନଙ୍କ ଜକୃତ ଜନିତ ସମସ୍ୟା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଏହାର କାରଣ କଣ ତାହା ଜଣାପଡିନଥିଲା। ତେବେ ଚଳିତ ଏପ୍ରିଲ ମାସ ଆରମ୍ଭରେ ସ୍କଟଲ୍ୟାଣ୍ଡରେ ୧୦ ସୁସ୍ଥ ପିଲାଙ୍କଠାରେ ଏପରି ବେମାରୀର ଲକ୍ଷଣ ନେଇ ଡବ୍ଲୁଏଚଓଙ୍କୁ ସୂଚିତ କରାଯାଇଥିଲା। ଏହାର ୩ ଦିନ ପରେ ୟୁକେରେ ୭୪ଟି ମାମଲା ଚିହ୍ନଟ ହୋଇଥିଲା। ଏବେ ବିଶ୍ୱରେ ଏପରି ମାମଲା ସଂଖ୍ୟା ୧୬୯କୁ ପହଞ୍ଚି ଯାଇଛି।
ଏହି ଭୂତାଣୁରେ ସଂକ୍ରମିତ ପିଲାଙ୍କ ପେଟରେ ଯନ୍ତ୍ରଣା, ଡାୟରିଆ ଓ ବାନ୍ତି ପରେ ଜଣ୍ଡିସର ଲକ୍ଷଣ ଦେଖା ଯାଉଥିବା କୁହାଯାଉଛି। ଏହା ଛଡା ଏପରି ପିଲାଙ୍କ ଠାରେ ହେପାଟାଇଟିସର ଅନ୍ୟ ଲକ୍ଷଣ ଯେପରି ଥକ୍କା ଅନୁଭବ କରିବା, ଭୋକ ନ ଲାଗିବା, ଗାଢ ରଙ୍ଗର ପରିଶ୍ରା, ହାଲୁକା ରଙ୍ଗର ମଳ ଓ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଆଦି ଅନୁଭବ କରୁଥିବାର ବି ଜଣାପଡିଛି। ଲାବୋରେଟରୀ ପରାକ୍ଷଣରେ ହାଇ ଲିଭର ଏଞ୍ଜାଇମ ରିଡିଂ ସମେତ ଲିଭର ଫୁଲିବା ଲକ୍ଷଣ ମଧ୍ୟ ଦେଖାଯାଇଛି। ନିକଟରେ କୋଭିଡ-୧୯ ବ୍ୟାପିବା ବେଳେ ଏହି ସଂକ୍ରମଣ ଥମିଯାଇଥିଲା। ତେବେ କୋଭିଡ ପରେ ପୁଣି ଏହି ସଂକ୍ରମଣ ଦେଖାଯାଇଛି।
