ଆନନ୍ଦପୁର ଜିଲ୍ଲା ଦାବିରେ ଧାରଣା
କେନ୍ଦୁଝର : ଜିଲ୍ଲା ଦାବିରେ ଆନନ୍ଦପୁର ବିକାଶ ପରିଷଦ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଠାରୁ ପ୍ରତୀକ ଧାରଣା ଆରମ୍ଭ ହୋଇଛି । ବିକାଶ ପରିଷଦର ଏହି ଧାରଣକୁ ବିଭିନ୍ନ ବର୍ଗର ସଙ୍ଗଠନର ସମର୍ଥନ ମିଳୁଥିବା ବେଳେ ସାମ୍ବାଦିକ ଓ ଉପଖଣ୍ଡ ଜନସାଧାରଣ ଏଥିରେ ସାମିଲ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାର ଭୌଗଳିକ ସ୍ଥିତି ଅନୁସାରେ ଆନନ୍ଦପୁର ଉପଖଣ୍ଡର ଲୋକମାନେ ଦୀର୍ଘ ୧୨୦ କି.ମି ଜିଲ୍ଲା ସଦର ମହକୁମାକୁ ଯିବା ଏବଂ ସେମାନଙ୍କ ସମସ୍ୟା ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନା କରିବା କଠିକର ପାଠ ହୋଇପଡୁଛି । ଲୋକ ସଂଖ୍ୟାରେ ରାଜ୍ୟର ସପ୍ତମ ବୃହତର ଜିଲ୍ଲା କେନ୍ଦୁଝର ହୋଇଥିବାବେଳେ ଲୋକ ସଂଖ୍ୟାରେ ୪ରେ ରହିଛି । ଏହା ସତ୍ୱେ ଏହି ଜିଲ୍ଲାକୁ ବିଭକ୍ତିକରଣ କରାଯାଇନି । ଜିଲ୍ଲା ଖଣିଜ ସମ୍ପଦରେ ଭରପୁର ଥିବାବେଳେ ଆନନ୍ଦପୁରର ବିକାଶ ହୋଇପାରୁନି । ୧୯୯୩ ମସିହା ଜିଲ୍ଲା ବିଭକ୍ତିକରଣରେ ଆନନ୍ଦପୁର ନାମ ରହିଥିଲେ ସୁଦ୍ଧା ପରବର୍ତି ସମୟରେ ଏହାର କାର୍ଯ୍ୟକାରିତାରେ ତତ୍ପରତା ପ୍ରକାଶ ପାଇନି । ଏହି ସବୁ ଘଟଣାବଳୀକୁ ଦୃଷ୍ଟିରେ ରଖି ଆନନ୍ଦପୁର ବିକାଶ ପରିଷଦ ପକ୍ଷରୁ ଆଜିଠାରୁ ଧାରଣା ଆରମ୍ଭ ହୋଇଛି । ପୂର୍ବରୁ ଆରମ୍ଭ ହୋଇଥିବା ଦସ୍ତଖତ ଅଭିଯାନ ଚାଲୁ ରହିଥିବା ବେଳେ ଆଜି ଧାରଣା ପରବର୍ତୀ ସମୟରେ ହକ୍ ପାଇଁ ଲଢେଇ ଜୋରଦାର ହେବ ବୋଲି ବିକାଶ ପରିଷଦ ସଭାପତି ରମାକାନ୍ତ ନାୟକ ସୂଚନା ଦେଇଛନ୍ତି ।
