ଆର୍ଟିଆଇରେ ତଥ୍ୟ ନଦେବାରୁ ଧାରଣା : ସପକ୍ଷବାଦୀ-ବିପକ୍ଷବାଦୀ ଠେଲାପେଲା
ନୀଳଗିରି : ନୀଳଗିରି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଉକ୍ତ ଅଞ୍ଚଳର ବିକାଶ ପାଇଁ ସରକାର ନୀଳଗିରି ଆଇଟିଡିଏ ମାଧ୍ୟମରେ ବିଭିନ୍ନ ଯୋଜନା ଓ ପ୍ରକଳ୍ପ ବାବଦରେ କୋଟିକୋଟି ଟଙ୍କା ଯୋଗାଇଥାନ୍ତି । ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ବିଭିନ୍ନ ଅନିୟମିତତାକୁ ନେଇ ନୀଳଗିରି ଆଇଟିଡିଏ ଅଫିସରେ ବିଭିନ୍ନ ପ୍ରକଳ୍ପ ବାବଦରେ ତଥ୍ୟ ସୂଚନା ଆଇନ୍ (ଆର୍ଟିଆ) ବଳରେ ମାଗିଥିଲେ । ଏନେଇ ଅନେକ ଥର ଶ୍ରୀ ଷଡ଼ଙ୍ଗୀ କାର୍ଯ୍ୟାଳୟକୁ ଯାଇ ତଥ୍ୟ ଦିଅନ୍ତୁ ବୋଲି କାର୍ଯ୍ୟାଳୟର ମୁଖ୍ୟ କିରାଣିଙ୍କୁ କହିବା ପରେ ଆଜିକାଲି କହି ଦିନ ପରେ ଦିନ ଗଡ଼େଇ ଚାଲିଥିଲେ । ଶେଷରେ ଶ୍ରୀ ଷଡ଼ଙ୍ଗୀ ଅଫିସ୍କୁ ତଥ୍ୟ ଆଣିବାକୁ ଯାଇଥିବା ବେଳେ ମୁଖ୍ୟ କିରାଣି ତଥ୍ୟ ଦିଆଯାଇପାରିବ ନାହିଁ ବୋଲି ରୋକ୍ଠୋକ୍ ମନା କରିବା ସହ ପିଏଙ୍କ ସହ କଥା ହେବାକୁ କହିଥିଲେ । ପରେ ପିଏଙ୍କ ସହ ଘଟଣା ବିଷୟରେ ଫୋନରେ ଜଣାଇଥିଲେ । ମାତ୍ର କୌଣସି ସଫଳତା ମିଳି ନ ଥିଲା ।
ଫଳରେ ସୂଚନା ଅଧିକାର ଆଇନକୁ ଅବମାନନା କରିବା ଓ କୋଟିକୋଟି ଟଙ୍କାର ଅନିୟମିତତା ଅଭିଯୋଗ ହୋଇଥିବା ନେଇ ଶୁକ୍ରବାର ପୂର୍ବାହ୍ନରେ ଏହାର ପ୍ରତିବାଦ ସୂରପ ନୀଳଗିରି ଆଇଟିଡିଏ ଅଫିସ୍ ଆଗରେ ଧାରଣା ଦେଇଛନ୍ତି । ଅପରପକ୍ଷରେ ଧାରଣା ଭଣ୍ଡୁର କରିବା ପାଇଁ ଧାରଣାସ୍ଥଳରେ ବାଇଢୁଙ୍କ ପକାଇବା ସହ ଅଞ୍ଚଳର କିଛି ବିପକ୍ଷବାଦୀ ଓ ସପକ୍ଷବାଦୀ ମଧ୍ୟରେ ଠେଲାପେଲା ହୋଇଥିଲା । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଆସିବା ପରେ ଶାନ୍ତ ପଡ଼ିଥିଲା । ପରେ ଧାରଣା ସ୍ଥଳରେ ଉପ ଜିଲାପାଳ ମନ୍ଦରଧର ମାହାଳିକ, ତହସିଲଦାର ଅଶେଷ କୁମାର ନାୟକ, ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ, ସହକାରୀ ଜିଲାପାଳ ସିଦ୍ଧାର୍ଥ ପରିଡ଼ା ପ୍ରମୁଖ ପହଞ୍ôଚ ଶ୍ରୀ ଷଡ଼ଙ୍ଗୀ ସହ ସମସ୍ତ ବିଷୟକୁ ନେଇ ଆଲୋଚନା କରିଥିଲେ । ଏଥିସହ ପୂର୍ବରୁ ମାଗିଥିବା ତଥ୍ୟ ଅବଧି ଶେଷ ହେଇଥିବାରୁ ଆଉ ଥରେ ସୂଚନା ଆଇନ୍ ବଳରେ ତଥ୍ୟ ମାଗିଲେ ଆପଣଙ୍କୁ ୭ ଦିନ ମଧ୍ୟରେ ତଥ୍ୟ ଦିଆଯିବାର ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଅନ୍ୟପକ୍ଷରେ ଶ୍ରୀ ଷଡ଼ଙ୍ଗୀ ଧାରଣାରେ ବସିଥିବା ସମୟରେ ନୀଳଗିରି ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ରତିକାନ୍ତ ମଢ଼େଇ ତାଙ୍କ ଗାଁରୁ ପ୍ରାୟ ୧୫ଜଣ ଲୋକଙ୍କୁ ଆଣି ଧାରଣାକାରୀଙ୍କ ମଧ୍ୟରେ ଠେଲାପେଲା ଅଭିଯୋଗ କରି ରତିକାନ୍ତ ମଢ଼େଇଙ୍କ ନାମରେ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
