ଜଟିଳ ହେଉଛି ସୁମିତ-ତପସ୍ବିନୀ ମାମଲା : ଏଣିକି ବାରଣ୍ଡାରେ ରୋଷେଇ କରି ଖାଇବେ ଡିମ୍ପଲ
ବ୍ରହ୍ମପୁର : ବହୁ ଚର୍ଚ୍ଚିତ ସୁମିତ ଓ ତପସ୍ବିନୀ (ଡିମ୍ପଲ) ମାମଲା ସମାଧାନ ହେବା ବଦଳରେ ଆହୁରି ଜଟିଳ ହେବାରେ ଲାଗିଛି। ପାରିବାରିକ ବିବାଦ ଭିତରେ ଦିନକୁ ଦିନ ଭିନ୍ନ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। ଶ୍ବଶୁ ଘର ଲୋକେ ଘରେ ପୁରାଇ ନଦେବା ହେତୁ ଘର ବାରଣ୍ଡାରେ ରୋଷେଇ କରି ଖାଇବେ ବୋଲି ଡିମ୍ପଲ ମନସ୍ଥ କରିଛନ୍ତି। ସେଥିପାଇଁ ରବିବାର ଡିମ୍ପଲ ଚୂଲି, କାଠ, କଢେଇ, ତସଲା ମଧ୍ୟ ଆଣି ଘର ବାରଣ୍ଡାରେ ରଖିଥିବା ଦେଖିବାକୁ ମିଳିଛି।
ଆସିକା ଚିନିକଳ ଆଇବି ଛାଡ଼ି ଡିମ୍ପଲ ବ୍ରହ୍ମାନଗର ସ୍ଥିତ ଶ୍ବଶୁର ଘର ଆଗରେ ବସିଛନ୍ତି। ୧୦ ଦିନରୁ ସ୍ୱାମୀ ଘରେ ଆସିନଥିବା ବେଳେ ରବିବାର ତାଙ୍କ ଘର ଦୁଆରେ ରୋଷେଇ କରିବା ପାଇଁ ଡିମ୍ପଲ ନିଷ୍ପତ୍ତି ନେଇଛନ୍ତି। ଏଥିବା ପାଇଁ ସେ ନୂଆ ଚୂଲି, କାଠ, କଢେଇ, ତସଲା ଆଣିଛନ୍ତି। ତପସ୍ବିନୀଙ୍କ ଏଭଳି ଆଚରଣକୁ ଦେଖିବାପାଇଁ ସହରର ବିଭିନ୍ନ କୋଣରୁ ଉକ୍ତ ସ୍ଥାନରେ ଲୋକେ ଭିଡ଼ ଜମାଉଛନ୍ତି। ଶୁକ୍ରବ୍ରାର ରାତି ୯ଟା ବେଳେ ଏସଡିଜେଏମ୍ ଜିତେନ୍ଦ୍ରୀୟ ପାଣିଗ୍ରାହୀଙ୍କ ରାୟ ଶୁଣାଣି ପରେ ତପସ୍ବିନୀ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ବ୍ରହ୍ମାନଗରସ୍ଥିତ ନିଜ ସ୍ୱାମୀ ତଥା ଡାକ୍ତର ସୁମିତ କୁମାର ସାହୁଙ୍କୁ ଘର ସମ୍ମୁଖକୁ ଯାଇ ଧାରଣା ଦେଇଛନ୍ତି। ସୋମବାର ଅର୍ଥାତ ଡିସେମ୍ବର ୨୦ରେ କୋର୍ଟରେ ପରବର୍ତ୍ତୀ ଶୁଣାଣି ଅଛି। ତେଣୁ ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଲଢ଼ିବେ ବୋଲି ଡିମ୍ପଲ ରୋକ୍ ଠୋକ୍ କହିଛନ୍ତି।
ସୂଚନା ଯେ, ତପସ୍ବିନୀଙ୍କୁ ଛାଡ଼ି ଗତ ୧୦ ତାରିଖରୁ ସୁମିତ କୁଆଡେ ଫାରାର ହୋଇଯାଇଛନ୍ତି। କୋର୍ଟ ନିର୍ଦ୍ଦେଶ ଅବମାନା କରିଥିବା ଯୋଗୁଁ ସୁମିତଙ୍କ ବିରୋଧରେ କ୍ରିମିନାଲ୍ କେସ୍ ରୁଜୁ କରିବାକୁ ତପସ୍ବିନୀ କୋର୍ଟଙ୍କୁ ଅନୁରୋଧ କରଛନ୍ତି। ମାମଲାର ଫଇସଲା ପର୍ଯ୍ୟନ୍ତ ତାଙ୍କୁ ଶ୍ବଶୁର ଘରେ ରହିବାକୁ ଅନୁମତି ଦିଆଯାଉ ଏବଂ ଭରଣପୋଷଣ ବାବଦରେ ମାସିକ ୫୦ ହଜାର ଟଙ୍କା ଅର୍ଥ ଦେବାକୁ ସେ ଦାବି କରିଛନ୍ତି। କିନ୍ତୁ କୋର୍ଟ ଏହି ଅଭିଯୋଗ ଥାନାରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁମିତଙ୍କ ତରଫରୁ ଜିଲ୍ଲା ଜଜ୍ କୋର୍ଟରେ ଏକ ପିଟିସନ୍ ରୁଜୁ କରାଯାଇଛି। ସେଥିରେ ବ୍ରହ୍ମପୁର ଏସ୍ଡିଜେଏମଙ୍କ ଗତ ୨ ଓ ୯ ତାରିଖରେ ଦେଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରାଯାଇଛି। ଏହି ପିଟିସନ୍ର ଶୁଣାଣି ଆସନ୍ତା ୨୭ ତାରିଖକୁ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ତପସ୍ବିନୀ ବଧୂ ନିର୍ଯାତନା ମାମଲା ରୁଜୁ କରିଛନ୍ତି। ସେପଟେ କୋର୍ଟରେ ଛାଡ଼ପତ୍ର ମାମଲା ମଧ୍ୟ ବିଚାରାଧୀନ ରହିଛି। ସୋମବାର ପୁଣି ବ୍ରହ୍ମପୁର ଏସ୍ଡିଜେଏମ କୋର୍ଟରେ ଏହି ଚର୍ଚ୍ଚିତ ଦମ୍ପତ୍ତିଙ୍କ ମାମଲାର ଶୁଣାଣି ହେବ।
ଅନ୍ୟପଟେ ଗତ ୧୦ ତାରିଖରୁ ନିଖୋଜ ଥିବା ଡାକ୍ତର ସୁମିତଙ୍କ ପତ୍ତା ମିଳୁନାହିଁ। କିନ୍ତୁ ଅସୁସ୍ଥ ଥିବାରୁ ସେ ଛୁଟିରେ ରହିଥିବା ନେଇ ଏକ ଅଡ଼ିଓ ଟେପ୍ ଜାରି କରିଥିଲେ। ସେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରୁଛନ୍ତି ଏବଂ ତାଙ୍କୁ ଅଯଥାରେ ବଦନାମ ନକରିବା ପାଇଁ ଅନୁରୋଧ କରିଥିଲେ। ସେ ପ୍ରଥମ ପର୍ଯ୍ୟାୟରେ ୫ଦିନ ଛୁଟି ନେଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୮ଦିନ ଛୁଟି ନେଇଥିବା ସୂଚନା ମିଳିଛି। ସେପଟେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଧାରଣାରେ ବସିଥିବେ ବୋଲି ତପସ୍ବିନୀ କହିଛନ୍ତି।
