ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶୀତ ଲହରୀ: ତାପମାତ୍ରା ଫୁଲବାଣୀରେ ୮ ଡିଗ୍ରୀ ଓ ଦାରିଙ୍ଗବାଡିରେ ୯ ଡିଗ୍ରୀ
କନ୍ଧମାଳ : କନ୍ଧମାଳକୁ ଶୀତ ପୁଣି ଫେରିଛି । ଗତ ଦୁଇ ତିନି ଦିନ ହେଲା କନ୍ଧମାଳରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ପୁଣି ଦେଖାଦେଇଛି ଶୀତ ଲହରୀ । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡା ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି । ଆଜି ସକାଳୁ ସକାଳୁ ଫୁଲବାଣୀ ସହର ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା । ଆଜି ସୋମବାର ଫୁଲବାଣୀରେ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ଥିବା ବେଳେ ଦାରିଙ୍ଗବାଡିରେ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରହିଛି । ଆକାଶ ମେଘମୁକ୍ତ ରହିଥିବା ଫଳରେ ତାପମାତ୍ରା କମିବା ସହ ଥଣ୍ଡା ମଧ୍ୟ ବଢିବାରେ ଲାଗିଛି । ଫଳରେ ସକାଳୁ ସକାଳୁ ଲୋକେ ଥଣ୍ଡାର ମଜା ଉଠାଇବା ସହ ନିଜନିଜ ଶରୀରକୁ ସୁସ୍ଥ ରଖିବା ପାଇଁ, ସକାଳୁ ବ୍ୟାୟମ ଓ ମର୍ଣ୍ଣିଂ ୱାକ୍ କରୁଛନ୍ତି । ସେହିପରି ଜିଲ୍ଲାର ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ଘୁ. ଉଦୟଗିରି, ରାଇକିଆ ଆଦି ଅଂଚଳରେ ମଧ୍ୟ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ମଧ୍ୟ ଥଣ୍ଡା ହେଉଛି । ଏବେ ପୁଣି ଥଣ୍ଡା ଟିକିଏ ବଢ଼ୁଥିବାରୁ ରାସ୍ତା କଡ଼େ ପସରା ମେଲିଥିବା ଶୀତ ବସ୍ତ୍ର କିଣିବା ଲାଗି ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି ।
