ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ ,ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଦାରଖ ଓ ସମୀକ୍ଷା
ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପର ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ
କେନ୍ଦୁଝର : ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଚଳିତ ଜାନୁଆରୀ ୧୪ ତାରିଖ ଦିନ କେନ୍ଦୁଝର ଜିଲ୍ଲାଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଦାରଖ କରିବା ସହ ସମୀକ୍ଷା କରିଛନ୍ତି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରି କାର୍ଯ୍ୟକ୍ଷମ କରିବାକୁ ସଂପୃକ୍ତ ବିଭାଗୀୟ କର୍ମକର୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଉରକେଲାରୁ କେନ୍ଦୁଝର ଆସିବା ରାସ୍ତାରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ରାଜାମୁଣ୍ଡାରୁ ରିମୁଳି ପର୍ଯ୍ୟନ୍ତ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ଏହାପରେ ଯୋଡା ଗସ୍ତ କରି ଯୋଡା-ବାମେବାରୀ ରାସ୍ତାରେ ନିର୍ମାଣାଧୀନ ଯୋଡା ଫ୍ଲାଇ ଓଭରର ଅଗ୍ରଗତି ତଦାରଖ କରିଥିଲେ । ପ୍ରକଳ୍ପ ନିର୍ମାଣ ଅଗ୍ରଗତିରେ ଯାହା ସମସ୍ୟା ପ୍ରତିବନ୍ଧକ ରହିଛି ଜିଲ୍ଲା ପ୍ରଶାସନ ସହଯୋଗରେ ସେସବୁର ସମାଧାନ କରି ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ଫ୍ଲାଇ ଓଭର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସଂପୃକ୍ତ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍ବ୍ୟତୀତ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଯଥା ସ୍ଥାନରେ ସର୍ଭିସ୍ ରୋଡ୍ କାର୍ଯ୍ୟକ୍ଷବ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କାନପୁର ଜଳସେଚନ ପ୍ରକଳ୍ପର ବିଭିନ୍ନ ଅଂଶର ନିର୍ମାଣ କାର୍ଯ୍ୟ ତଦାରଖ କରି ବିଶଦ ଭାବେ ନିରୀକ୍ଷଣ କରିଥିଲେ । ନଦୀବନ୍ଧ, ସ୍ପିଲ୍ୱେ, ଗେଟ୍ ଏବଂ ରିଭର ଗ୍ୟାପ୍ ଇତ୍ୟାଦି କାର୍ଯ୍ୟର ସ୍ଥିତି ତଦାରଖ କରିଥିଲେ ଏବଂ ଚଳିତ ଜୁନ୍ ମାସ ମଧ୍ୟରେ ଶେଷ କରିବାକୁ ସଂପୃକ୍ତ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍ବ୍ୟତୀତ ଚଳିତ ବର୍ଷ ବର୍ଷା ଋତୁରେ ଡ୍ୟାମ୍ରେ ପାଣି ବନ୍ଦ କରି ରଖିବା, ରିଭର ଗ୍ୟାପ୍ ବନ୍ଦ କରିବା, ସ୍ଲୁଇସ୍ କାମ ଶେଷ କରିବା, ମେଗା ଲିଫ୍ଟ୍ ଓ କେନାଲ ମାଧ୍ୟମରେ ଜଳସେଚନ ପାଇଁ ପାଣି ଯୋଗାଣ କରିବା ଦିଗରେ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । କାନ୍ପୁର ଜଳସେଚନ ପ୍ରକଳ୍ପର ତଳପାଶ୍ୱର୍ରେ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍.ଏଚ୍.ଏ.ଆଇ.) ଦ୍ୱାରା ନିର୍ମାଣାଧିନ ପୋଲର ଅଗ୍ରଗତି ସମୀକ୍ଷା କରି ଫେବୃଆରୀ ମାସ ସୁଦ୍ଧା ବ୍ରିଜ୍ ନିର୍ମାଣ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କେନ୍ଦୁଝର ଜିଲ୍ଲା ସଦର ମହକୁମାକୁ ଗସ୍ତ କରି ସର୍କିଟ୍ ହାଉସ୍ ଠାରେ ଆନନ୍ଦପୁର ବ୍ୟାରେଜ୍ର ଅଗ୍ରଗତି ସମୀକ୍ଷା କରି ବ୍ୟାରେଜ୍ରୁ ମେଗା ଉଠା ଜଳସେଚନ ପ୍ରକଳ୍ପ ଏବଂ କେନାଲ୍ ମାଧ୍ୟମରେ ଜଳସେଚନର ବ୍ୟବସ୍ଥା କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କାନ୍ପୁର ଜଳସେଚନ ପ୍ରକଳ୍ପ ଏବଂ ଆନନ୍ଦପୁର ବ୍ୟାରେଜ୍ରୁ ଜଳସେଚନ ପ୍ରକ୍ରିୟା କାର୍ଯ୍ୟକ୍ଷମ ହେଲେ ଜିଲ୍ଲାରେ ଜଳସେଚନର ସୁବିଧାର ଅଭିବୃଦ୍ଧି ଘଟିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି । ଏତଦ୍ବ୍ୟତୀତ ସମୀକ୍ଷା ବୈଠକରେ ଜିଲ୍ଲାରେ ସରକାରଙ୍କ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ଡି.ଏମ୍.ଏଫ୍. ଏବଂ ଓମ୍ବାଡିସି ଅନୁଦାନରେ ହାତକୁ ନିଆଯାଇଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ । ପ୍ରତି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାପାଳ ଆଶିଷ ଠାକରେ, ଡି.ଏଫ୍.ଓ. କେନ୍ଦୁଝର ଧନରାଜ ଏଚ୍.ଡି., ଡି.ଏଫ୍.ଓ. ଆନନ୍ଦପୁର ଅଭୟ କୁମାର ଦଳେଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, କାନ୍ପୁର ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣି, ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ, ଓବିସିସିର ନିର୍ବାହୀ ଯନ୍ତ୍ରୀ ଇଂ ନରସିଂହ ମହାନ୍ତ, ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅବିନାଶ ରାଉଳ, ବିଭିନ୍ନ ଲାଇନ୍ ଡିପାର୍ଟମେଂଟ୍ର ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ଓ ସମୀକ୍ଷା ସମୟରେ ଉପସ୍ଥିତ ଥିଲେ ।
