ଆଜି ଦିନିକିଆ ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ମାର୍ଟ କାର୍ଡ ବଣ୍ଟନ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଓ ଶୁଭ ଦେବାର କାର୍ଯ୍ୟକ୍ରମ ରହିଛି
ଗଜପତି : ଆଜି ଦିନିକିଆ ଗଜପତି ଜିଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ସକାଳୁ ହେଲିକପ୍ଟର ଯୋଗେ ଯାଇ ୧୧ଟା ସମୟରେ ପାରଳାଖେମୁଣ୍ଡି ଷ୍ଟାଡିୟମରେ ପହଞ୍ଚିବେ । ପ୍ରଥମେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରିବେ ପରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ସହ ଶୁଭ ଦେବାର କାର୍ଯ୍ୟକ୍ରମ ରହିଛି । ଜିଲାରେ ମୋଟ ୯୬ ହଜାର ହିତାଧିକାରୀଙ୍କୁ ଚୟନ କରି ତାଲିକା ଭୁକ୍ତ କରାଯାଇଥିବା ବେଳେ ପ୍ରାୟ ୪ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଉପକୃତ ହେବେ । ସେହିଭଳି ଭାବରେ ୭୯୬ କୋଟି ଟଙ୍କାର ମୋଟ ୩୬ଟି ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେଗୁଡ଼ିକ ମଧ୍ୟରେ ଅନେକ ମେଗା ପ୍ରକଳ୍ପ ରହିଥିବା ଜଣାପଡିଛି ।
ସୂଚନା ଯେ, ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟିବା ଆଳରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ୍ ଜିଲା ଗସ୍ତ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତରୁ ରାଜନୀତିକ ଫାଇଦା ଉଠାଇବା ପାଇଁ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି।
