୨୦ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଂଟନ ପାଇଁ ଆସନ୍ତା ୨୦ ତାରିଖରେ ମାଲକାନଗିରି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ୭ ମନ୍ତ୍ରୀ ବିଭିନ୍ନ ବ୍ଲକରେ ଉପସ୍ଥିତ ରହି ଯୋଜନା ମାଧ୍ୟମରେ ଲୋକଙ୍କୁ ବୁଝାଇବେ । ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଦେଖିବା ଲାଗି ବିଭିନ୍ନ ବ୍ଲକରେ ଏଲଇଡି ବନ୍ଦୋବସ୍ତ କରାଯାଇଛି । ପରେ ସୁନ୍ଦରଗଡ, ମୟୂରଭଞ୍ଜ, ବଲାଙ୍ଗୀରରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଂଟନ କରିବେ ମୁଖ୍ୟମନ୍ତ୍ରୀ । ନଭେମ୍ବର ସୁଦ୍ଧା ସବୁ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ଦେବାକୁ ଲକ୍ଷ୍ୟ ରଖାଯାଇଛି ।
ସୂଚନାଯୋଗ୍ୟ ଯେ ଗତକାଲି ସ୍ୱାଧିନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ଏହି ଘୋଷଣା କରିଥିଲେ । ରାଜ୍ୟ ତଥା ଦେଶରେ ୨୦୦ରୁ ଅଧିକ ଡାକ୍ତରଖାନାରେ ଏହି ସ୍ମାର୍ଟ ହେଲଥ୍ କାର୍ଡ ସୁବିଧା ଲୋକ ପାଇପାରିବେ । ଓଡ଼ିଶାର ୯୬ଲକ୍ଷ ପରିବାର ଓ ସାଢେ ୩କୋଟି ଲୋକ ଏହାଦ୍ୱାରା ଉପକୃତ ହେବେ । ପ୍ରତିବର୍ଷ ମହିଳାଙ୍କ ପାଇଁ ୧୦ଲକ୍ଷ ଓ ପରିବାର ପାଇଁ ୫ଲକ୍ଷ ଟଙ୍କା ଲେଖାଏଁ ବୀମା ସହାୟତା ମିଳିବ ।
