ଦେବଗଡ଼ରେ ବିଜୁ ସ୍ଵାସ୍ଥ୍ୟ ସ୍ମାର୍ଟ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
- ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର : ଦେବଗଡ ଜିଲାରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଜିଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏନେଇ ଦେବଗଡ ସହର ଇନଡୋର ଷ୍ଟାଡିୟମଠାରେ ଉଦଘାଟନ ଉତ୍ସବ ଆୟୋଜନ କରାଯାଇଥିଲା । ଇନଡୋର ଷ୍ଟାଡିୟମ ସହ ଆଶ୍ରୟ ସ୍ଥଳ, ଟାଉନ୍ ହଲ ଓ ମୁଣ୍ଡାସାହି ୟୁପି ସ୍କୁଲ୍ ରେ ବ୍ୟବସ୍ଥା କରାଯାଇଛି । ସେହିଭଳି ପ୍ରତ୍ୟେକ ବ୍ଲକର ଦୁଇଟି ସ୍ଥାନରେ କାର୍ଡ ବଣ୍ଟନର ବ୍ୟବସ୍ଥା କରାଯାଇଛି। ଶନିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ଏହି ଅବସରରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେବଗଡ଼ ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ ଏବଂ ଏହା ଓଡ଼ିଶା ପାଇଁ ପ୍ରକୃତିର ଏକ ବରଦାନ। ପ୍ରଶାସନକୁ ଲୋକଙ୍କ ନିକଟକୁ ନେବା ପାଇଁ ବିଜୁ ବାବୁ ଏହାକୁ ଏକ ସ୍ୱତନ୍ତ୍ର ଜିଲ୍ଲା କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଜୁବାବୁଙ୍କ ମହାନ ଉଦ୍ଦେଶ୍ୟକୁ ଆଖିରେ ରଖି ରାଜ୍ୟ ସରକାର ଦେବଗଡରେ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେହିପରି ମୁଖ୍ୟମନ୍ତ୍ରୀ ଦେବଗଡ଼ ଜିଲାରେ ଆଜି ୭ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିରେ ୫୭୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଥିବା ବେଳେ ୧୩୬ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ କରାଯାଇଛି। ଜିଲାରେ ଶିକ୍ଷାବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-ଟି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ୮୭ ଟି ସରକାରୀ ହାଇସ୍କୁଲର ରୂପାନ୍ତର କରାଯିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତିନୋଟି ମେଗା ପାଇପ୍ ପାଣି ଯୋଜନା କାର୍ଯ୍ୟକାରୀ କରାଯାଇ ଜିଲ୍ଲାର ସମସ୍ତ ତିନୋଟି ବ୍ଲକକୁ ପାଇପ୍ ପାଣିର ସୁବିଧା ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଦେବଗଡ଼ ପୌରାଞ୍ଚଳ ପାଇଁ ମଧ୍ୟ ଏକ ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ରଖିଥିଲେ। ଏହା ସହିତ ଦେବଗଡ଼ରେ ଏକ ତିନିଶହ ଶଯ୍ୟା ବିଶିଷ୍ଟ ଆଧୁନିକ ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିପାଇଁ ୧୧୫ କୋଟି ଟଙ୍କା ବିନିଯୋଗ କରାଯିବ । ଏହାଦ୍ୱାରା ଦେବଗଡ଼ବାସୀ ଗୁଣାତ୍ମକ ମାନର ଚିକିତ୍ସା ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ଼ ବଡ଼ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା , ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ। ଦେବଗଡ ସହରରେ ପୌର ପରିଷଦ ଅଧିନସ୍ଥ ୧୧ ନମ୍ବର ୱାର୍ଡରେ ୩୫୦୯ ଜଣ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ। ସେହିଭଳି ବାରକୋଟ ବ୍ଲକର ୨୪ଟି ଗ୍ରାମ ପଞ୍ଚାୟତର ୨୮୦୬୯ ହିତାଧିକାରୀ, ରିଆମାଳ ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତର ୨୭୧୭୫ ଜଣ ହିତାଧିକାରୀ ଓ ତିଲେଇବଣୀ ବ୍ଲକର ୨୦ଟି ଗ୍ରାମ ପଞ୍ଚାୟତର ୧୯୮୬୨ ଜଣ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯିବା । କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ସେମାନଙ୍କ ଭାଷଣରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ବିଶେଷ କରି ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଯୋଜନା ଦେଶରେ ଓଡ଼ିଶାର ସମ୍ମାନ ବଢ।ଇଛି ବୋଲି ମତ ଦେଇଥିଲେ। ଶେଷରେ ମନ୍ତ୍ରୀ ସୁଶାନ୍ତ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

