ଭାରତୀୟ ହକି ଦଳଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ହକି ଟିମ୍ । ଦଳ ୪ ଦଶନ୍ଧି ପରେ ପଦକ ଜିତିଛି । ଗୁରୁବାର ଖେଳାଯାଇଥିବା ଜର୍ମାନୀ ବିପକ୍ଷ ମୁକାବିଲାରେ ଟିମ୍ ଇଣ୍ଡିଆ ୫-୪ ଗୋଲରେ ମ୍ୟାଚ୍ ଜିତି ନେଇଛି । ଏହାସହ ୪୧ ବର୍ଷ ପରେ ପଦକ ଉପରେ କବଜା କରିଛି । ଭାରତୀୟ ଦଳ ମ୍ୟାଚ୍ ଜିତିବା ପରେ ଚାରିଆଡୁ ପ୍ରଶଂସା ଓ ଶୁଭେଚ୍ଛାର ସୂଅ ଛୁଟିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ମନ୍ତ୍ରୀ, ଖେଳାଳି ଆଦି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତୀୟ ହକି ଟିମକୁ ଅଭିନନ୍ଦନ । ଦଳ ଜବରଦସ୍ତ ବିଜୟ ହାସଲ କରି ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି । ଏହା ହେଉଛି ଐତିହାସିକ ବିଜୟ । ଏହି ବିଜୟ ଆଗାମୀ ଦିନରେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ । ସୂଚନାଯୋଗ୍ୟ, ୨୦୧୮ରୁ ଓଡ଼ିଶା ଭାରତୀୟ ହକି ଟିମ୍ର ପ୍ରାୟୋଜକ ଅଛି । ହକି ପାଇଁ ଓଡ଼ିଶାର ଅବଦାନ ମଧ୍ୟ ଅନନ୍ୟ ।
