ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନ ବିଚାରପତି
ଭୁବନେଶ୍ୱର : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ । ସେ ଶୁକ୍ରବାର ସନ୍ଧ୍ୟା ୭ଟା ୫୫ମିନିଟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଂଚିବେ। ସେଠାରୁ ସିଧାସଳଖ ହୋଟେଲ ମେ’ଫେୟାର ଯାଇ ରାତ୍ରିଯାପନ କରିବେ। ଶନିବାର ସକାଳୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ପୁରୀ ଯିବେ। ଏହାପରେ ଦିନରେ ସେ ଜୁଡିସିଆଲ କାର୍ଯ୍ୟକ୍ରମରେ ସାମିଲ ହୋଇ ସନ୍ଧ୍ୟା ୬ଟା ୪୦ମିନିଟରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ବୋଲି ଜଣାପଡ଼ିଛି। ପ୍ରଧାନ ବିଚାରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ବୈଠକରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଛି। ଏହି ବୈଠକରେ ପୋଲିସ ଡିଜିଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନା ଯେ, ଜଷ୍ଟିସ ରମଣା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ୨୦୧୯ ଓ ୨୦୨୦ ମସିହାରେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଥିଲେ। କୋଭିଡ୍ ମହାମାରୀ ଆସିବା ପୂର୍ବରୁ ସେ ୨୦୨୦ ଜାନୁୟାରୀ ୨୫ତାରିଖରେ ପତ୍ନୀଙ୍କ ସହ ପୁରୀ ଶ୍ରୀମନ୍ଦିର ଆସି ପୂ୍ଜାର୍ଚ୍ଚନା କରିଥିଲେ।
