ପୂଜାରାଙ୍କ ବଡ ଉପଲବ୍ଧି, ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ପୂରଣ କଲେ ୧୨ ହଜାର ରନ
ନୂଆଦିଲ୍ଲୀ : ଭାରତୀୟ ଟେଷ୍ଟ ଦଳର ତାରକା ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରାଙ୍କ ଦମଦାର ପ୍ରଦର୍ଶନ। ୩୪ ବର୍ଷୀୟ ପୂଜାରା ଆନ୍ଧ୍ର ପ୍ରଦେଶ ବିପକ୍ଷ ମୁକାବିଲାରେ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି। ସେ ଶୁକ୍ରବାର ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୧୨ ହଜାର ରନ ପୂରଣ କରିଛନ୍ତି। ଚେତେଶ୍ଵର ପୂଜାରା ଆନ୍ଧ୍ର ପ୍ରଦେଶ ବିପକ୍ଷ ମ୍ୟାଚ୍ର ଚତୁର୍ଥ ଦିନର ଦ୍ଵିତୀୟ ଇନିଂସରେ ଶତକର ନିକଟତର ହୋଇଥିଲେ। ସେ ୧୪୬ ବଲ୍ରୁ ୯୧ ରନର ଇନିଂସ ଖେଳିଛନ୍ତି। ଏଥିରେ ୧୧ ଚୌକା ସାମିଲ୍। ପୂଜାରାଙ୍କ ୯୧ ରନର ଇନିଂସ ସତ୍ତ୍ଵେ ସୌରାଷ୍ଟ୍ର ୧୫୦ ରନରେ ପରାଜିତ ହୋଇଛି।
ଆନ୍ଧ୍ରପ୍ରଦେଶ ବିପକ୍ଷରେ ମାତ୍ର ୯ ରନରୁ ସେ ଶତକରୁ ବଞ୍ଚିତ ହୋଇଛନ୍ତି। ହେଲେ ଏହି ମ୍ୟାଚ ଜରିଆରେ ସେ ଫର୍ମରେ ଥିବାର ସଙ୍କେତ ଦେଇଛନ୍ତି। ପୂଜାରା ଶୁକ୍ରବାର ରଣଜୀ ଟ୍ରଫିରେ ଆନ୍ଧ୍ର ପ୍ରଦେଶ ବିପକ୍ଷରେ ୯୧ ରନର ଇନିଂସ ଖେଳିବା ସହ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୧୨ ହଜାର ରନ ପୂରଣ କରିଛନ୍ତି। ନିଜର ୧୪୫ତମ ମ୍ୟାଚ୍ରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ତାଙ୍କର ବ୍ୟାଟିଂ ହାର ୬୦ ପାଖାପାଖି ରହିଛି। ପୂଜାରା ମୋଟ୍ ୨୪୦ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୧୮୪୦୦ରୁ ଅଧିକ ରନ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ସେ ୫୬ ଶତକ ଏବଂ ୭୩ ଅର୍ଦ୍ଧଶତକ ସାମିଲ୍। ଭାରତ ପକ୍ଷରୁ ୯୮ ଟେଷ୍ଟ ଖେଳି ୪୪.୩୯ ହାରରେ ୭୦୧୪ ରନ କରିଛନ୍ତି। ଏଥିରେ ୧୮ ଶତକ ଏବଂ ୩୪ ଅର୍ଦ୍ଧଶତକ ସାମିଲ୍।
ସୂଚନା ଯେ, ଭାରତୀୟ ଟେଷ୍ଟ ଦଳର ତାରକା ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରା ଆସନ୍ତା ମାସରେ ଆରମ୍ଭ ହେଉଥିବା ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଦମଦାର ପ୍ରଦର୍ଶନ କରିଛନ୍ତି। ଗତ ବର୍ଷ ଦଳରୁ ବାଦ୍ ପଡିବା ଏବଂ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଥିବା ପୂଜାରା ଟେଷ୍ଟ କ୍ୟାରିୟରରେ ଶେଷ ପର୍ଯ୍ୟାୟରେ ଅଛନ୍ତି। ଆସନ୍ତା ମାସରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ନାଗପୁର, ଦିଲ୍ଲୀ, ଧର୍ମଶାଳ ଏବଂ ଅହମ୍ମଦାବାଦରେ ୪ଟି ଟେଷ୍ଟ ଖେଳାଯିବ। ଏହା ପରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ମାର୍ଚ୍ଚ ୧୭ରୁ ୨୨ ମଧ୍ୟରେ ଖେଳାଯିବ।
