କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ଼ କଟକଣାକୁ କଡ଼ାକଡ଼ି କରାଗଲା ଚୀନ, ଜାପାନ, ହଂକଂ, ଦକ୍ଷିଣ କୋରିଆ, ଥାଇଲାଣ୍ଡରୁ ଆସିଲେ ଟେଷ୍ଟ ବାଧ୍ୟତାମୂଳକ
ନୂଆଦିଲ୍ଲୀ : ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ଼ କଟକଣାକୁ କଡ଼ାକଡ଼ି କରାଯାଇଛି । କିଛି ନିର୍ଦ୍ଦିଷ୍ଟ ଦେଶରୁ ଆସୁଥିଲେ ଆରଟି-ପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ଚୀନ, ଜାପାନ, ହଂକଂ, ଦକ୍ଷିଣ କୋରିଆ, ଥାଇଲାଣ୍ଡରୁ ଆସିଲେ ଟେଷ୍ଟ ବାଧ୍ୟତାମୂଳକ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଶନିବାର ଏହି ସୂଚନା ଦେଇଛନ୍ତି । ଏପରିକି ସମ୍ପୃକ୍ତ ଦେଶରୁ ଆସୁଥିବା ଲୋକଙ୍କ ଲକ୍ଷଣ ଥିଲେ କିମ୍ବା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଲେ ତାଙ୍କୁ କ୍ୱାରେଂଟାଇନରେ ରଖାଯିବ । ସମ୍ପୃକ୍ତ ଦେଶରୁ ଆସୁଥିବା ଯାତ୍ରୀ ‘ଏୟାର ସୁବିଧା’ ଫର୍ମ ପୂରଣ କରିବେ । ଏହି ଫର୍ମ ଜରିଆରେ ନିଜ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେବେ । ଏଥିସହ ସମସ୍ତ ମେଡ଼ିକାଲରେ ଅକ୍ସିଜେନ ସିଲିଣ୍ଡର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଏନେଇ ଚିଠି କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ । ଏବେ ଦେଶରେ କୋଭିଡ଼୍ ସଂକ୍ରମଣ କମ୍ ଥିଲେ ମଧ୍ୟ ପ୍ରସ୍ତୁତ ରହିବାକୁ ଚିଠିରେ ପରାମର୍ଶ ଦିଆଯାଇଛି । ଏପରିକି ଭବିଷ୍ୟତରେ କିଛି ଚାଲେଞ୍ଜ ଆସିଲେ ତାହାର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଜାରୀ ହୋଇଛି । ସେହିପରି ଅକ୍ସିଜେନ ପ୍ରସ୍ତୁତକାରୀ ପ୍ଲାଂଟ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇବା, ଅକ୍ସିଜେନ ପ୍ରସ୍ତୁତି ଓ ନିର୍ବିଘ୍ନରେ ଯୋଗାଣ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରକାଶ ଥାଉକି, ଗତକାଲି ଦେଶରେ କୋଭିଡ଼ ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଭିଡ଼ିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିଥିଲେ । ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମାନଙ୍କ ସହିତ ସମ୍ଭାବ୍ୟ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ପାଇଁ ଆଡଭାଇଜରୀ ଜାରୀ କରିଥିଲେ । ଏଥିସହ ଟେଷ୍ଟିଂ-ଟ୍ରାକିଂ-ଟ୍ରିଟମେଂଟ ଏବଂ ଭ୍ୟାକ୍ସିନେସନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ପୂର୍ବରୁ ଗତ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରିୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଥିଲେ ।
