ବିଶ୍ୱ ମଧୁମେହ ଦିବସ ପାଳନ
ବାଲେଶ୍ୱର : ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ବାଲେଶ୍ୱର ଏଫ୍ଏମ୍ କଲେଜ ରୋଡ୍ ସ୍ଥିତ ଶ୍ରୀ ପଲି କ୍ଲିନିକ୍ ପକ୍ଷରୁ ସୋମବାର ପାଳିତ ହୋଇଯାଇଛି । ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପୂର୍ବାହ୍ନରେ ଏକ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା ।
ଡା. ଅମୂଲ୍ୟ କୁମାର ଦାସ ପତାକା ଦେଖାଇ ଏହି ଶୋଭାଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ସାମ୍ପ୍ରତିକ ସମାଜ ପାଇଁ ଘାତକ ସାବ୍ୟସ୍ତ ହୋଇଥିବା ମଧୁମେହ ରୋଗର ଭୟାବହତା ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ନିୟମିତ ଶାରୀରିକ ବ୍ୟାୟାମ ଓ ଉତ୍ତମ ଚିକିତ୍ସା ଦ୍ୱାରା ମଧୁମେୟ ରୋଗୀ ସମ୍ପୂର୍ଣ୍ଣ ଭଲ ହୋଇପାରିବେ ବୋଲି ଡା. ଦାସ ସୂଚନା ଦେଇଥିଲେ । ଏହି ଶୋଭାଯାତ୍ରା ସିନେମାଛକରୁ ବାହାରି କଲେଜ ଛକ, ଆଜିମାବାଦ, ପୋଲିସ ଲାଇନ ଛକ, ଷ୍ଟେସନ ଛକ, ଫାଣ୍ଡି ଛକ, ବିବେକାନନ୍ଦ ରୋଡ଼, ପାଣିଟାଙ୍କି ଛକ ଦେଇ ଟାଉନହଲ ଠାରେ ଶେଷ ହୋଇଥିଲା । ସେଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ମଧୁମେହ ରୋଗ ଚିହ୍ନଟ ପାଇଁ ଏଚ୍ବିଏ୧ସି, ଲିପିଡ ପ୍ରୋଫାଇଲ, ଥାଇରଏଡ୍ ପ୍ରୋଫାଇଲ, ଇସିଜି, ବିଏମଡି ଓ ଏଫବିଏସ ପ୍ରଭୃତି ପରୀକ୍ଷା ସହ ସ୍ୱାସ୍ଥ୍ୟ ଶିକ୍ଷା ଓ ପରାମର୍ଶ ତଥା ମଧ୍ୁ ମେହ ରୋଗୀଙ୍କ ପାଇଁ ଖାଦ୍ୟ ପ୍ରଣାଳୀ ସମ୍ପର୍କରେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରାଯାଇଥିଲା । ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ବାଲେଶ୍ୱର ଶାଖା କେନ୍ଦ୍ରର ସଦସ୍ୟମାନେ ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ମଧ୍ୁମେହ ରୋଗର ନିରାକରଣ ପାଇଁ ନିୟନ୍ତ୍ରିତ ଜୀବନ ଯାପନ ଏକାନ୍ତ ଆବଶ୍ୟକ ହୋଇଥିବା ବେଳେ ଏଥିନିମନ୍ତେ ନିୟମିତ ଯୋଗାଭ୍ୟାସ ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ଗୋପାଲ କୃଷ୍ଣ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସ ସଞ୍ଜିବ କୁମାର ବେହେରା, ପ୍ରକାଶ ମିଶ୍ର, ସତିଶ ଜେନା, ମଳୟ ଭୂୟାଁ, ରାଜୀବ ଦାସ, ବିଶ୍ୱନାଥ ଶତପଥୀ, ସଞ୍ଜିବ ନନ୍ଦୀ, ଶୁଭ୍ରାଂଶୁ ନନ୍ଦୀ, ସ୍ମୃତିରଞ୍ଜନ କର, ପ୍ରଭାତ ସ୍ୱାଇଁ, ବିଜୟ ପାତ୍ର, ସତ୍ୟବ୍ରତ ଘଡେଇ, ସତ୍ୟବ୍ରତ ବେହେରା ପ୍ରମୁଖ ପରିଚାଳନା କରିଥିଲେ । ସହରର ବିଭିନ୍ନ ବର୍ଗର ସଚେତନଶୀଳ ବହୁ ବ୍ୟକ୍ତି ଏଥିରେ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।
