ବାର୍ଷିକ ଶିଶୁ ଉତ୍ସବ ‘ମହକ-୨୦୨୨’ ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ସହର ସହଦେବଖୁଣ୍ଟା ସ୍ଥିତ ଉତ୍କଳ ବାଳାଶ୍ରମରେ ବାର୍ଷିକ ଶିଶୁ ଉତ୍ସବ ‘ମହକ-୨୦୨୨’ ଅନୁଷ୍ଠିତ ହୋଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଉତ୍ସବକୁ ଉଦ୍ଘାଟନ କରି ଶିଶୁମାନଙ୍କ ଅନ୍ତଃର୍ନିହିତ ପ୍ରତିଭା ବିକାଶରେ ଶିଶୁ ଉତ୍ସବର ମହତ୍ୱ ଅଧିକ । ‘ମହକ’ ଆୟୋଜନ ଏ ଦିଗରେ ଏକ ପ୍ରଶଂସନୀୟ ପ୍ରୟାସ । ସାମୁହିକ ଉଦ୍ୟମରେ ଉତ୍କଳ ବାଳାଶ୍ରମ ରାଜ୍ୟର ସର୍ବୋଚ୍ଚ ସ୍ଥାନ ଗ୍ରହଣ କରିପାରିବାର ଭିତ୍ତିଭୂମି ଥିବାର ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ବରିଷ୍ଠ ଖବରଦାତା ସତ୍ୟଶିବ ଦାସ ଅଧ୍ୟକ୍ଷତା କରିଥିଲେ । ଉତ୍ସବ କମିଟିର ସମ୍ପାଦକ ରାଜେଶ ଗିରି ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ କବି ପ୍ରଶାନ୍ତ ଦାସ ଯୋଗଦେଇ ଶିଶୁ ମାନସିକତାକୁ ବୁଝିବା ଓ ସେମାନଙ୍କ ଭବିଷ୍ୟତ ନିର୍ମାଣ ପାଇଁର୍ ପ୍ରତ୍ୟେକ ମହଲରୁ ଉଦ୍ୟମ ହେବା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, ଜିଲା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ଭାଗିରଥୀ ବାରିକ, ସ୍ଥାନୀୟ କାଉନସିଲର ଶମ୍ଭୁନାଥ ସିଂ, ବାଳାଶ୍ରମର ତତ୍ତ୍ୱାବଧାରକ ସୁବ୍ରତ ମହାପାତ୍ର, ସମାଜସେବୀ କୈଳାସ ଅଗ୍ରୱାଲ, ଖବରଦାତା ଶଶିରଞ୍ଜନ ମଲ୍ଲିକ, ସାମାଜିକ ନ୍ୟାୟ ମଞ୍ଚର ଅକ୍ଷୟ ମଲ୍ଲିକ, ମହକ କାର୍ଯ୍ୟକ୍ରମର ଉପଦେଷ୍ଟା ତଥା ପୂର୍ବତନ ଶିକ୍ଷକ ବିକର୍ତ୍ତନ ନାୟକ ଓ ମୁରଲୀଧର ନାୟକ ଅତିଥି ଭାବେ ଯୋଗଦେଇ ବାଳାଶ୍ରମରେ ପାଳିତ ହେଉଥିବା ଶିଶୁ ଉତ୍ସବର ଉଚ୍ଚପ୍ରଶଂସା କରିବା ସହିତ ଏହାକୁ ଆହୁରି ବ୍ୟାପକ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ବାଳାଶ୍ରମର ଅନ୍ତେବାସୀଙ୍କ ସମେତ ଶିକ୍ଷୟତ୍ରୀଶିକ୍ଷକ ଏବଂ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।
