କାର ଦୁର୍ଘଟଣାଗ୍ରସ୍ତ, ମାଆ ସହ ୨ ଶିଶୁ ମୃତ
କଳାହାଣ୍ଡି : କଳାହାଣ୍ଡିର ଜିଲା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥରେ ଚାଞ୍ଚେର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ତାଳଗଛକୁ ଧକ୍କା ଦେଲା କାର୍ । ଏହି ଦୁର୍ଘଟଣାରେ ମାଆ ସହ ଦୁଇ ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ ଆନନ୍ଦିନୀ ମିଶ୍ର (୩୮), ରୋଜି ଦାସ ଓ ଏଲି ଦାସ । ଉଭୟ ଶିଶୁକନ୍ୟାଙ୍କର ବୟସ ୧୧ ବୋଲି ଜଣାଯାଇଛି । ପୁତୁରା ବିକାଶ ମିଶ୍ର ଗରୁତର ହୋଇଥିବା ବେଳେ କାର୍ ଚାଳକ ଅରୁଣ ବିଶି ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରିଯାଇଥିବା ଜଣାପଡ଼ିଛି । ବର୍ଷା ପାଇଁ ଜାତୀୟ ରାଜପଥରେ କାର ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥବା ଅନୁମାନ କରାଯାଉଛି ।
ସୂଚନା ଯେ, ମଙ୍ଗଳବାର ଅପରାହ୍ନରେ ଆନନ୍ଦିନୀ କଳାହାଣ୍ଡି ଜିଲା ଭବାନୀପାଟଣାରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ ସ୍ଥିତ ବାପ ଘରକୁ ଏକ କାରରେ ଯାଉଥିଲେ । ସାଥିରେ ନିଜର ୨ ଝିଅ, ପୁତୁରା ଓ କାର ଚାଳକ ମଧ୍ୟ ଥିଲେ । ସେମାନେ ୨୬ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ କେସିଙ୍ଗା ନିକଟ ଚାଞ୍ଚେର ନିକଟରେ ଦ୍ରୁତଗତିରେ ଯାଉଥିବା କାରଟି ଭାରସାମ୍ୟ ହରାଇ ଏକ ତାଳଗଛକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ କାର୍ ଭିତରେ ଥିବା ୫ ଜଣ ଗୁରୁତର ହୋଇଥିଲେ । ଦୁର୍ଘଟଣାର ଅଳ୍ପ ସମୟ ପରେ ଭବାନୀପାଟଣାରୁ କେସିଙ୍ଗା ଫେରୁଥିବା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ୫ ଜଣଙ୍କୁ ଉଦ୍ଧାର କରି କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲା । କିନ୍ତୁ ଆନନ୍ଦିନୀ, ରୋଜି ଓ ଏଲିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବିକାଶ ଗୁରୁତର ଥିବା ବେଳେ ଅରୁଣ ଆହତ ଅଛନ୍ତି ବୋଲି ପୋଲିସ କହିଛି ।
