ଇନ୍ଦ୍ରାବତୀ ଉଠାଜଳସେଚନ କେନାଲରେ ଘାଇ, ଶହଶହ ଏକର ଚାଷଜମି ଜଳମଗ୍ନ
କଳାହାଣ୍ଡି : କଳାହାଣ୍ଡି ଜିଲା କୋକସରା ବ୍ଲକ୍ ଅନ୍ତର୍ଗତ ମାଝିଗୁଡ଼ା ନିକଟ ଭାଙ୍ଗିଲା ଇନ୍ଦ୍ରାବତୀ ଉଠାଜଳସେଚନ କେନାଲ ବନ୍ଧ । ଶୁକ୍ରବାର ବିଳମ୍ବିତ ରାତିରେ କୋକସରା ବ୍ଲକର ମାଝୀଗୁଡା ନିକଟରେ ଏହି ଘାଇ ସୃଷ୍ଟି ହୋଇଥିବା ଜଣାପଡିଛି । ଏଠାରେ ପ୍ରାୟ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଛି ।
ଚଳିତ ବର୍ଷ ଠାରୁ ଇନ୍ଦ୍ରାବତୀରୁ ପ୍ରଥମ ଥର ପାଇଁ ଉଠା ଜଳସେଚନରେ କୋକସରା ଓ ଧର୍ମଗଡ଼ ବ୍ଲକର ଅଣଜଳସେଚିତ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ପାଣି ଛଡ଼ା ଯାଇଥିଲା। ହେଲେ ପ୍ରଥମ ଜଳ ନିଷ୍କାସନରେ ହିଁ ଭାଙ୍ଗିଗଲା କେନାଲ ବନ୍ଧ। ଶୁକ୍ରବାର ରାତିସାରା କେନାଲରେ ମାତ୍ରାଧିକ ଜଳ ଛଡ଼ା ଯିବା ଯୋଗୁ ତଥା ନିମ୍ନମାନର କାମ ଯୋଗୁ କେନାଲ ବନ୍ଧ ଭାଙ୍ଗି ଯାଇଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନିକଟସ୍ଥ ସମସ୍ତ ଚାଷ ଜମିରେ ଧାନ ବୁଣା ଓ ରୁଆ ସରିଥିବାରୁ ସମସ୍ତ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ସେମାନେ କହିଛନ୍ତି। ଚାଷୀମାନେ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। କେନାଲରେ ପ୍ରାୟ ୧୦ ଫୁଟର ଘାଇ ସୃଷ୍ଟି ହୋଇଥିବା ବେଳେ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଯାଇଛି। ଚଳିତ ବର୍ଷ ପ୍ରଥମ ଥର ଉଠାଜଳସେଚନ ପ୍ରକଳ୍ପ ଦ୍ବାରା ପାଣି ଛଡାଯାଇଥିଲା। କିନ୍ତୁ ନିମ୍ନମାନର କାମ ଯୋଗୁଁ କେନାଲ ଭୁଶୁଡି ଯାଇଥିବା ଅଭିଯୋଗ ହୋଇଛି। ତେବେ ଘାଇ ପାଇଁ ମାଝୀଗୁଡା ଓ କୋକସରା ଅଞ୍ଚଳର ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଆଶଙ୍କା ସୃଷ୍ଟି ହୋଇଛି। ଏବେସୁଦ୍ଧା ଘଟଣାସ୍ଥଳରେ କୈାଣସି ଅଧିକାରୀ ପହଁଚି ନଥିବା ସୂଚନା ମିଳିଛି ।
