ଚେନ୍ନାଇର ପରାଜୟ ପରେ ରାଗିଲେ ଅଧିନାୟକ ଧୋନି, କହିଲେ ମ୍ୟାଚ ହାରିବାର ସବୁଠାରୁ ବଡ଼ କାରଣ
ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନିଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍ସ କୁ ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ୫ ୱିକେଟରେ ହାରିଛି । ଏହି ମ୍ୟାଚ୍ ପରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନି ଏକ ବଡ଼ ବୟାନ ଦେଇଛନ୍ତି । ଏହି ମ୍ୟାଚ୍ ହାରିବା ପଛର ବଡ଼ କାରଣ ଧୋନି କହିଛନ୍ତି । ଏଥି ସହିତ ସେ ଦଳର ଜଣେ ଖେଳାଳିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।
ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ପାଞ୍ଚ ୱିକେଟ୍ ପରାଜୟ ପରେ କହିଛନ୍ତି ଯେ, ଯଦି ତାଙ୍କ ଦଳ ୧୫ରୁ ୨୦ ରନ୍ ଅଧିକ କରିଥାନ୍ତା ତେବେ ଭଲ ହୋଇଥାନ୍ତା । ଏମଏସ୍ ଧୋନି ମ୍ୟାଚ୍ ପରେ କହିଛନ୍ତି ଯେ, “ଯଦି ୧୫ରୁ ୨୦ ରନ୍ ଅଧିକ କରାଯାଇଥାନ୍ତା ଭଲ ହୋଇଥାନ୍ତା । ଆମେ ସମସ୍ତେ ଜାଣିଥିଲୁ କିଛି କାକର ହେବ । ମ୍ୟାଚ୍ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ, ତେଣୁ ବଲ୍ ଆରମ୍ଭରେ ସାମାନ୍ୟ ରହି ଆସିଥାଏ । ଏଥିସହ ଆମେ ମଝି ଓଭରରେ ଭଲ ବ୍ୟାଟିଂ କରିପାରିଥାନ୍ତେ ।”
ଚେନ୍ନାଇ ସୁପର କିଙ୍ଗ୍ସ ଓପନର୍ ଋତୁରାଜ ଗାଇକୱାଡ ଏହି ମ୍ୟାଚରେ ୫୦ଟି ବଲରେ ୯୨ ରନ୍ ସଂଗ୍ରହ କରିଥିଲେ । ଏହି ଇନିଂସରେ ଋତୁରାଜ ଗାଇକୱାଡ ୯ଟି ଛକା ଓ ୪ଟି ଚୌକା ମାରିଥିଲେ । ଏହି ଦମଦାର୍ ଇନିଂସ ଯୋଗୁଁ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚରେ ପ୍ରଥମ ଖେଳି ୭ ୱିକେଟ୍ ହରାଇ ୧୭୮ ରନ୍ ସଂଗ୍ରହ କରିଥିଲା । ତେବେ ତାଙ୍କ ବ୍ୟତୀତ କେବଳ ମୋଇନ୍ ଅଲି ୨୦ ରନ୍ ଅତିକ୍ରମ କରିପାରିଥିଲେ, ଯିଏ ୨୩ ରନର ଇନିଂସ ଖେଳିଥିଲେ । ଋତୁରାଜ ଗାଇକୱାଡଙ୍କୁ ପ୍ରଶଂସା କରି ଧୋନି କହିଛନ୍ତି ଯେ, ‘ଋତୁରାଜଙ୍କ ବ୍ୟାଟିଂ ଦେଖିବା ବହୁତ ଭଲ ହୋଇଥାଏ । ସେ ନିଜକୁ ବହୁତ ଭଲ ଭାବରେ ପ୍ରସ୍ତୁତ କରିଛନ୍ତି ଓ ଚାପରେ ସଠିକ୍ ନିଷ୍ପତ୍ତି ନିଅନ୍ତି । ଏଥି ସହିତ ଚେନ୍ନାଇ ବୋଲରମାନେ ଦୁଇଟି ନୋ-ବୋଲ କରିଥିଲେ, ଯାହା ଉପରେ ଏମଏସ୍ ଧୋନି କହିଛନ୍ତି ଯେ ଏହାକୁ ଏଡ଼ାଇବାକୁ ପଡ଼ିବ, ଏହା ତାଙ୍କ ନିୟନ୍ତ୍ରଣ ଅଛି ।
ସୂଚନା ଯେ, ଚେନ୍ନାଇ ସୁପର କିଙ୍ଗ୍ସର ୧୭୯ ରନର ଟାର୍ଗେଟକୁ ପିଛା କରି ଗୁଜୁରାଟ ଦଳ ଓପନର ଶୁଭମାନ ଗିଲଙ୍କ ଅର୍ଦ୍ଧ ଶତକ (୩୬ ବଲରେ ୬୩ ରନ୍) ସହାୟତାରେ ୪ଟି ବଲ୍ ବାକି ରହି ପାଞ୍ଚ ୱିକେଟ୍ ହରାଇ ୧୮୨ ରନ୍ କରି ବିଜୟ ହାସଲ କରିଥିଲା । ଅନ୍ୟପକ୍ଷରେ ଗୁଜରାଟ ତରଫରୁ ଲେଗ-ସ୍ପିନର ରସିଦ ଖାନ ୨୬, ଦ୍ରୁତ ବୋଲର ମହମ୍ମଦ ଶାମି ୨୯ ରନ ଏବଂ ଅଲଜାରି ଯୋସେଫ ୩୩ ରନ ଦେଇ ୨-୨ଟି ୱିକେଟ୍ ନେଇଥିଲେ । ଏହା ମଧ୍ୟ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସର କ୍ରମାଗତ ତୃତୀୟ ବିଜୟ ଥିଲା ।
