କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା, ଆଜି ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର ହେବେ ୪ ଅଭିଯୁକ୍ତ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କିନ୍ତୁ ମେମୋରୀ ଚିପ୍ ରହସ୍ୟ ଏବେ ବି ଖୋଲିନି । କୁଆଡ଼େ ଗଲା ସେହି ମେମୋରୀ ଚିପ୍ ? ଦୋଷ ମାନିଥିଲେ ବି ଶର୍ମିଷ୍ଠା, ନିରଞ୍ଜନ କି ଅନ୍ୟ ଅଭିଯୁକ୍ତ କେହି ହତ୍ୟାର କାରଣ କହୁ ନାହାନ୍ତି । ମେମୋରୀ ଚିପ୍ ନେଇ ସମସ୍ତେ ଚୁପ୍ । ଆଜି ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର ହେବେ ୪ ଅଭିଯୁକ୍ତ ।
ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀ, ରଞ୍ଜନ ନାୟକ ଓ ଝୁନା ଭୋଇଙ୍କ ଗତକାଲି ରିମାଣ୍ଡର ଥିଲା ଶେଷ ଦିନ । ରିମାଣ୍ଡର ଶେଷ ଦିନରେ ଶର୍ମିଷ୍ଠାର ମୋବାଇଲ୍ ଓ ଡାଏରୀ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ ଟିମ୍। ସେପଟେ ଶର୍ମିଷ୍ଠାଙ୍କ ଘରୁ ଜବତ ହୋଇଛି ନିରଞ୍ଜନଙ୍କ ଡାଏରୀ । ଏହି ଡାଏରୀକୁ ନେଇ ମଧ୍ୟ ଉଠୁଛି ଅନେକ ପ୍ରଶ୍ନ। ମାନସ ସ୍ୱାଇଁ ମର୍ଡର କେସରେ ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ତଥ୍ୟ ପ୍ରମାଣ ଯୋଗାଡ଼ କରିଛି କ୍ରାଇମବ୍ରାଞ୍ଚ । ୫ ଦିନିଆ ରିମାଣ୍ଡରେ ପୂରା ମର୍ଡର ପ୍ଲଟ୍ର ଖୁଲାସା ହୋଇଛି । ଅଭିଯୁକ୍ତଙ୍କୁ ଅଲଗା ଅଲଗା ଓ ମୁହାଁମୁହିଁ ଜେରା ବେଳେ ବହୁ ବଳିଷ୍ଠ ପ୍ରମାଣ ମିଳିଛି ।
