ପୁଣି ଫେରିଲା ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା
ଭୁବନେଶ୍ୱର : ୩ ବର୍ଷ ହେଲା ସମାନ ଟିମରେ ଥିଲେ ନବୀନ । ଏତେ ଲମ୍ବା ସମୟ ଧରି ମନ୍ତ୍ରିମଣ୍ଡଳ ଅଦଳବଦଳ ନ ହେବା ସମସ୍ତଙ୍କୁ ଚକିତ କରୁଥିଲା । ଏପିରିକି ଅନେକ ମନ୍ତ୍ରୀଙ୍କ ନାଁରେ ସଂଗୀନ ଅଭିଯୋଗ ସତ୍ତେ୍ୱ ଟିମ୍ ବଦଳାଇ ନାହାନ୍ତି ମୁଖ୍ୟମନ୍ତ୍ରୀ । ଅପେକ୍ଷା ଥିଲା ପଞ୍ଚାୟତ ଓ ପୌର ନିର୍ବାଚନକୁ । ଏବେ ନିର୍ବାଚନ ସରିଛି । ଖୁବ୍ ଶୀଘ୍ର ବଦଳିବ ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା । ପ୍ଲାନ୍ ପ୍ରସ୍ତୁତ । କିଏ ଇନ୍, କିଏ ଆଉଟ୍ ସେ ହିସାବ ବି ସରିସାରିଛି ।
ମିଳିଥିବା ଖବର ଅନୁସାରେ, ବେଶି ଡେରି ନୁହେଁ, ଦୁଇରୁ ୩ ଦିନ ମଧ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ଭାବେ ପ୍ରଦର୍ଶନ ସହ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ନିଜ ଏରିଆରେ କିଏ ଦଳକୁ ଜିତାଇଛି, ସେ କଥା ବି ବିଚାର ହେବ । ଯେଉଁ ଏରିଆରେ ଦଳ ପଛାଇଛି, ସେଠି ମନ୍ତ୍ରୀ ପଦ ବଦଳରେ ସଂଗଠନକୁ ସମୟ ଦେବେ ବିଧାୟକ । ଏହା ସହ ବିବାଦୀୟ ମନ୍ତ୍ରୀଙ୍କୁ ବାହାରର ରାସ୍ତା ଦେଖାଇବେ ନବୀନ । ୨୪ ନିର୍ବାଚନ ପୂର୍ବରୁ କ୍ଲିନ୍ ଇମେଜର ମ୍ୟାସେଜ୍ ଦେବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ଏବେ ୨୧ ଜଣଙ୍କୁ ମିଳିଛି ମନ୍ତ୍ରିମଣ୍ଡଳରେ ସ୍ଥାନ । ୧୨ ଜଣଙ୍କୁ କ୍ୟାବିନେଟ୍, ୯ ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ସେମାନେ ହେଉଛନ୍ତି ନିରଂଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପଦ୍ମନାଭ ବେହେରା, ପ୍ରତାପ ଜେନା, ଅରୁଣ ସାହୁ, ସୁଦାମ ମାରାଣ୍ଡି, ସୁଶାନ୍ତ ସିଂ, ନବକିଶୋର ଦାସ, ଟୁକୁନି ସାହୁ, ଜଗନ୍ନାଥ ସାରକା, ଦିବ୍ୟଶଙ୍କର ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା, ସମୀର ରଂଜନ ଦାଶ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ ଓ ତୁଷାରକାନ୍ତି ବେହେରା । ତେବେ ଏମାନଙ୍କ ମଧ୍ୟରୁ ରହିବ କିଏ ଓ ଯିବ କିଏ? ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ସେମାନଙ୍କ ପ୍ରଦର୍ଶନ ସହ ଅଞ୍ଚଳ ସମୀକରଣ ବି କାମ କରେ । ନବୀନଙ୍କ ନିଷ୍ପତ୍ତି ସବୁବେଳେ ସମସ୍ତଙ୍କୁ ସରପ୍ରାଇଜ୍ ଦିଏ । ତଥାପି ମନ୍ତ୍ରିମଣ୍ଡଳର ନୂଆ ନାଁକୁ ନେଇ ଚର୍ଚ୍ଚା ଜାରି ରହିଛି ।
