ପୋଲିସ ଗାଡ଼ି ସହିତ ବସ୍ ଧକ୍କା : ୪ ଗୁରୁତର, ଜଣେ ଆହତ
ବାଲେଶ୍ୱର : ବାଲେଶ୍ୱର ଜିଲା ସିମୁଳିଆ ଥାନା ଠାରୁ ୫ କିମି ଦୂର ୧୬ନଂ. ଜାତୀୟ ରାଜପଥର ଜାମୁଝାଡ଼ି ନିକଟରେ ରବିବାର ମଧ୍ୟାହ୍ନରେ ପୋଲିସ ଗାଡ଼ି ଓ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗି ୪ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଥିବା ବେଳେ ବସ୍ର ହେଲପର ଆହତ ହୋଇଛନ୍ତି । ପୋଲିସ ଗାଡ଼ିକୁ ରକ୍ଷା କରିବା ପାଇଁ ଯାଇ ବସ୍ଟି ଦୁଇରାସ୍ତା ମଧ୍ୟରେ ଥିବା ବନ୍ଧ (ଆଇଲ୍ୟାଣ୍ଡ) ଉପରକୁ ଚଢ଼ି ଯାଇଥିଲା ।
ସୂଚନା ଯେ, କଲିକତା ନମ୍ବର (ଡବ୍ଲ୍ୟୁବି୩୪ଏଏକ୍ସ-୯୨୫୩) ଥିବା ପୋଲିସ ବୋଲେରୋ ଗାଡ଼ି ରଙ୍ଗରୁଟରେ ଦ୍ରୁତ ଗତିରେ ଆସି ଭୁବନେଶ୍ୱରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍ (ଓଡ଼ି୦୫ଭି-୦୭୧୭)କୁ ଧକ୍କା ଦେଇଥିଲା । ବୋଲେରୋ ଗାଡ଼ିର ଚାଳକ ବାବୁଲି ହାଁସଦାଙ୍କ ସମେତ ଇନିସପେକ୍ଟର ମୁକୁଲ ମାୟା, ଏସ୍ଆଇ ଦେବେନ୍ଦ୍ରନାଥ ପାଣିଗ୍ରାହୀ, କନେଷ୍ଟବଳ ଜୋରାନ ଦେ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ବୋଲେରୋ ମଧ୍ୟରେ ଚାପି ହୋଇଯାଇଥିବା ପୋଲିସ କର୍ମଚାରୀ ମାନଙ୍କୁ ଉଦ୍ଧାର କରାଯାଇଥିଲା । ପ୍ରଥମେ ସେମାନଙ୍କୁ ସ୍ଥାନୀୟ ସିମୁଳିଆ ମେଡ଼ିକାଲ ଓ ପରେ ବାଲେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହି ପୋଲିସ କର୍ମଚାରୀମାନେ ଢେଙ୍କାନାଳ ଯାଉଥିବାର ସୂଚନା ମିଳିଛି । ଅପରପକ୍ଷେ ପୋଲିସ କର୍ମଚାରୀ ମାନେ ପ୍ରବଳ ମଦ ପିଇ ମାତାଲ୍ ଅବସ୍ଥାରେ ଥାଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରକର ପିଛା କରୁଥିଲେ । ଟ୍ରକର ପଛରେ ନଆସି ତାକୁ ଡାଇଭର୍ସନ ନିକଟରେ ଅଟକାଇବା ପାଇଁ ରଙ୍ଗ ରୁଟରେ ପୋଲିସ ଯାଉଥିଲା । ତେବେ ଭାରସାମ୍ୟ ରକ୍ଷା କରିନପାରି ବସ୍କୁ ଧକ୍କା ଦେଇଥିବାର ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ ।
